ଥର୍ମାଲ ସ୍କ୍ରିନିଂ ସହ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟିଂ ଜାରି

ବାଲେଶ୍ୱର (ଏସ ନ୍ୟୁଜ ): କରୋନା କଟକଣା ଭିତରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ଭୋଟ ଦେବା ପାଇଁ ଭୋଟଗ୍ରହଣ କେନ୍ଦ୍ରରେ ଲୋକଙ୍କ ଭିଡ ଲାଗିଥିବା ବେଳେ ବହୁମୂଲ୍ୟ ମତସାବ୍ୟସ୍ତ କରି ନେତା ବାଛିବେ ଜନତା । ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ଭୋଟ ଦେଉଛନ୍ତି ଭୋଟର । ସନ୍ଧ୍ୟା ୬ଟାରେ ଶେଷ‌ ହେବାକୁ ଥିବା ବେଳେ ୪ଲକ୍ଷ ୬୯ ହଜାର ୪୫୦ ଭୋଟର ୧୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

ତେବେ ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ଟି ବୁଥରେ ମତଦାନ କରିବେ । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ମତଦାନ କରିବେ ।କରୋନା କଟକଣା ଭିତରେ ମତଦାନ ହେଉଥିବା ବେଳେ ଭୋଟର କେମିତି ଲାଇନ୍‌ରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ କଟକଣା ଜାରି କରାଯାଇଛି ।ଭୋଟରମାନେ ଧାଡିରେ ଛିଡା ହେବାବେଳେ ସେମାନଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି। ସେହିପରି ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଭୋଟ ଦେବେ ସେମାନେ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧିବେ । ପୋଲିଂ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧିବେ। ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ।

ମତଦାନ ପାଇଁ ଭୋଟରମାନେ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ। ୧୧ଟି ପରିଚୟପତ୍ର ମଧ୍ୟରୁ  କୌଣସି ଗୋଟିଏ ନେଇ ପାରିବେ । ବାଲେଶ୍ବରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଅବାଧ ନିର୍ବାଚନ ଲାଗି ୩୫ଶହ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି।