ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷଙ୍କ କାର୍‌କୁ ବୋମାମାଡ଼, ୨ ଅଫୁଟା ବୋମା ଜବତ

ଭୁବନେଶ୍ୱର: ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନୂଆପଲ୍ଲୀ ବ୍ରିଟ୍‌ କଲୋନିରେ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ ଭୁବନେଶ୍ବର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତି ବାରିକଙ୍କ ସ୍ବାମୀ ଅକ୍ଷୟ ବାରିକଙ୍କ କାର୍‌ ଜଳିଯାଇଛି। ଦୁର୍ବୃତ୍ତମାନେ ବୋମାମାଡ଼ ପରେ ଫେରାର୍‌ ହୋଇଯାଇଛନ୍ତି। ବୁଧବାର ସକାଳୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିବା ପରେ ୨ଟି ଅଫୁଟା ବୋମା ଜବତ କରିଛି। ସ୍ଥାନୀୟ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି। ମାତ୍ର ଦୁର୍ବୃତ୍ତମାନଙ୍କ ଟେର୍‌ ମିଳିପାରିନାହିଁ। ବୋମାମାଡ଼ ପଛରେ କି କାରଣ ରହିଛି, ତାହା ଏବେ ବି ଅସ୍ପଷ୍ଟ ଥିବା ଜଣାପଡ଼ିଛି। ଏହା ପଛରେ ରାଜନୈତିକ ଶତ୍ରୁତା କିମ୍ବା ସରକାରୀ ଜମି ଦଖଲ ବିବାଦ ରହିଥିବା ନେଇ ସନ୍ଦେହ କରାଯାଉଛି। ତେବେ ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଅଘଟଣ ପଛରେ ରାଜନୈତିକ ହିଂସା ଏକ କାରଣ ହୋଇଥିବା ବେଶି ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନଙ୍କୁ ଠାବ ନକରିବା ପର୍ଯ୍ୟନ୍ତ କିଛି କହି‌ହେବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।