ବିଜୁବାବୁଙ୍କ ଜୟନ୍ତ୍ରୀ: ପାଣିରେ ପଡ଼ିବନି ନବୀନଙ୍କ ଡାକୋଟା ଭକ୍ତି

ଭାରତ ସ୍ୱାଧୀନତା ଲାଭ କଲାପରେ ଗଣତନ୍ତ୍ର ଶାସନକୁ …

ଭୁବନେଶ୍ୱର: ଭାରତ ସ୍ୱାଧୀନତା ଲାଭ କଲାପରେ ଗଣତନ୍ତ୍ର ଶାସନକୁ ଆଦରିଛି ସତ; ମାତ୍ର ରାଜାରାଜୁଡ଼ା ଶାସନର ବିକଟ ମନୋଭାବ ଆଜିମଧ୍ୟ ୧୩୦ କୋଟି ଜନତାଙ୍କୁ ଆଚ୍ଛନ୍ନ କରି ରଖିଛି । ଆମ ସମ୍ବିଧାନ ଦେଶର ୧୩୦ କୋଟି ଜନତାଙ୍କୁ ଭାଗ୍ୟବିଧାତା କରି ସାରା ବିଶ୍ୱରେ ସାବାସି ସାଉଁଟିଛି; କିନ୍ତୁ ବିଡ଼ମ୍ବନାର ବିଷୟ ୧୩୦ କୋଟି ଜନତାଙ୍କ ଦୁର୍ବଳ ମାନସିକତାକୁ ବଦଳାଇ ପାରିନି । ପରିଣାମ ସ୍ୱରୂପ ଆଜିମଧ୍ୟ ଗଣତନ୍ତ୍ରର ଖୋଳପା ପିନ୍ଧି ଶାସନ କରୁଛି ରାଜତନ୍ତ୍ର । ସ୍ୱାଧୀନ ଭାରତର ଗଣତନ୍ତ୍ର ଚେହେରାଟି ବେଶ ଡଉଲ ଡାଉଲ ଦିଶୁଛି; ଏକ ନିର୍ବାଚିତ ସରକାର ୧୩୦ କୋଟି ଜନତାଙ୍କ ଭାଗ୍ୟବିଧାତା ବୋଲାଇଛି ହେଲେ ରାଜତନ୍ତ୍ରର କୁତ୍ସିତ କଦାକାର ମାନସିକତାକୁ ଜାବୁଡ଼ି ଧରିଛି । ଏଭଳି ଏକ ବିକଳ ଚିତ୍ର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଦେଖିବାକୁ ପାଇଲୁ । ପ୍ରବୀଣ ରାଜନେତା ସୌମ୍ୟରଂଜନ ପଟ୍ଟନାୟକ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଯୋଗଦାନ କରି ‘ମୋ ଅଜାଙ୍କ ନିଶ…’ ଉପାଖ୍ୟାନ ମାଧ୍ୟମରେ ବିଜୁ ଜନତା ଦଳର ଦାୟାଦଙ୍କୁ କଟାକ୍ଷ କରିଛନ୍ତି । କେତେଦିନ ଆଉ ଅଜାଙ୍କ ନିଶକୁ ନେଇ ଏ ଜାତି ଛାତି ଫୁଲାଉଥିବ ବୋଲି ପ୍ରଶ୍ନ କରିଛନ୍ତି । ମାତ୍ର ସେଇ ପ୍ରଶ୍ନ ଭିତରେ ସେ ନିଜେ ଛନ୍ଦି ହୋଇଯାଇଛନ୍ତି ।

ନବନିର୍ମାଣ କୃଷକ ସଂଗଠନର ମଶାଲଟିକୁ ହାତରେ ଧରି ସରକାରୀ ଅଫିସଗୁଡ଼ିକର ମୁଖ୍ୟ ଫାଟକ ଠେଲୁଠେଲୁ ବାବୁ ସୌମ୍ୟରଂଜନ ଶାସକ ଦଳର ନେତା ବନି ପଶିଗଲେ ସିଧା ବିଧାନସଭାକୁ । କୃଷକ ସଂଗଠନର କର୍ମୀମାନେ ଭାବିଲେ ଏବେ ଶାସକ ଦଳର ଆଖି ଖୋଲିବାକୁ ବାବୁ ସୌମ୍ୟରଂଜନ ସଫଳ ହେବେ ।

କିନ୍ତୁ ହେଲା କ’ଣ? ଅସହାୟ ସୌମ୍ୟରଂଜନଙ୍କ ପକ୍ଷେ ବିଜୁ ଜନତା ଦଳର ମୁଖିଆଙ୍କ ଦର୍ଶନ ସାତସପନ ହୋଇଯାଇଛି । ଆଜିର ଗଣତନ୍ତ୍ର ଶାସନ ମୁଣ୍ଡ ଗଣନା ସର୍ବସ୍ୱ । ବିଧାନସଭା କକ୍ଷରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ସଂପର୍କରେ ଆଲୋଚନା ଓ ତା’ର ନିରାକରଣ ଉପାୟ ବାହାର କରିବା ଆଉ ବିଧାୟକଙ୍କ ପ୍ରଧାନ କାର୍ଯ୍ୟ ହୋଇ ରହିନାହିଁ । ଭୋଟରଙ୍କ ବଳରେ ବଳିୟାନ ବିଧାୟକମାନଙ୍କ ମୁଖ୍ୟ କାମ ହେଉଛି ଆସ୍ଥା ଭୋଟରେ ହାତ ଟେକିବା ।
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁବାବୁଙ୍କ ଜୟନ୍ତ୍ରୀରେ ତାଙ୍କ ପ୍ରିୟ ଡାକୋଟାଙ୍କୁ ଲୋକର୍ପଣ କରି ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ସାଢେ଼ ଚାରିକୋଟି ଜନତାଙ୍କ ମନକୁ କିଣିବା ପାଇଁ ପ୍ରାୟ ସାଢେ଼ ୩ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଥିଲା ବେଳେ ତାଙ୍କରି ବିଧାୟକ ସୌମ୍ୟରଂଜନ ଅଜାଙ୍କ ନିଶ ଭଳି ନୈବେଦ୍ୟ ଅର୍ପଣ କରିଛନ୍ତି । ସୌମ୍ୟଙ୍କ ନୈବେଦ୍ୟ ଏବେ ନବୀନଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିଯାଇଛି ।

ଅବଶ୍ୟ ଆଉ ବାପାଙ୍କ ସ୍ୱପ୍ନକୁ ଆୟୁଧ ନକରି ନବୀନ ନିଜ ନାମରେ ତିଆରି କରିଛନ୍ତି ବ୍ରହ୍ମାସ୍ତ୍ର ‘ନବୀନ ଓଡ଼ିଶା’ । ‘ନବୀନ ଓଡ଼ିଶା’କୁ ଆୟୁଧ କରି ନବୀନ ବିରୋଧୀ ଦଳକୁ ଚିତ୍‌ ମାରିପାରିବେ ତ!