ବିଜେପିକୁ ‘ହାଟ୍ରିକ୍‌’ ଓ କଂଗ୍ରେସକୁ ‘ମୂଳଦୁଆ’ ଚିନ୍ତା

ଆପ୍‌ ପଛରେ ପଡ଼ିଛନ୍ତି ବିଜେପି ଓ କଂଗ୍ରେସ….

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବ ହାତରୁ ଚାଲିଯିବା ପରେ କଂଗ୍ରେସ ଏବେ ଆପ୍‌’କୁ ପ୍ରଧାନଶତ୍ରୁ ବିବେଚନା କରିଛି । ବିଜେପିକୁ କ୍ଷମତାଚ୍ୟୁତ କରିବାର ଆଶା ଆଉ କଂଗ୍ରେସ ମନରେ ନାହିଁ । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ‘ଆପ୍‌’ ବହୁ ରାଜ୍ୟର ବିଧାନସଭା ନିର୍ବାଚନରେ ଠିଆ ହୋଇ କଂଗ୍ରେସ ଭୋଟକୁ ଦଖଲ କରିଛି । ନିକଟରେ ଶେଷ ହୋଇଥିବା ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ନିର୍ବାଚନରେ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି ।

ଲୋକସଭା ନିର୍ବାଚନରେ ଆପ୍‌ ମେଂଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ ବୋଲି ଅଧିକାଂଶ ଦେଶବାସୀ ଭାବୁଥିଲା ବେଳେ ବିଜେପି ଓ କଂଗ୍ରେସ ମିଳିତ ଭାବେ ‘ଆପ୍‌’ ଗତିରୋଧ କରିବାକୁ ବସିଛନ୍ତି ।
କେନ୍ଦ୍ର ସରକାର ‘ସିବିଆଇ’ ଓ ‘ଇଡି’କୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି । ଏ ସଂପର୍କୀତ ଏକ ଚିଠି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଚିଠିରେ ଆଠଟି ଦଳର ସହମତି ରହିଛି; ମାତ୍ର କଂଗ୍ରେସ, ଜେଡିୟୁ, ଜେଡିଏସ୍‌, ଡିଏମ୍‌କେ ଭଳି ପ୍ରମୁଖ ଦଳଗୁଡ଼ିକ ଚିଠି ପ୍ରତି ମୋଦୀଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି । ବିଜେପି ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ଦଳ ପ୍ରତି ‘ସିବିଆଇ’ ଓ ‘ଇଡି’ ଉଦାର ମନୋଭାବ ପୋଷଣ କରୁଛି ।

ଚିଠିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରାୟଙ୍କ ଉଦାହରଣ ଦିଆଯାଇଛି । ବିଜେପିରେ ଯୋଗଦାନ କରିବା ପରେ ହିମନ୍ତ, ଶୁଭେନ୍ଦୁ ଓ ମୁକୁଲଙ୍କ ଜାତକରୁ ଦୂରେଇ ଯାଇଛନ୍ତି ସିବିଆଇ ଓ ଇଡି ।
ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବିଷୟ ଜଣାଇଛନ୍ତି । ନିର୍ବାଚିତ ସରକାରଙ୍କ ପ୍ରତି ରାଜ୍ୟପାଳଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିବା ଦଳଗୁଡ଼ିକ ଆଗାମୀ ଦିନରେ ଆପ୍‌ ସହିତ ମେଂଟ କରି ଉଭୟ ବିଜେପି ଓ କଂଗ୍ରେସ ମେଂଟକୁ ଟକ୍କର ଦେବେ । ଏତେଦିନ ଧରି କେନ୍ଦ୍ରରେ ବିଜେପି ଓ କଂଗ୍ରେସର ପତିଆରା ରହିଛି । ଏବେ ତୃତୀୟ ମେଂଟ ଗଠନ ହେବା ପରେ ଉଭୟ ବିଜେପି ଓ କଂଗ୍ରେସ ମେଂଟରେ ଭାଳେଣି ପଡ଼ିଯାଇଛି । କଂଗ୍ରେସ ମେଂଟ ଭଲ ଭାବରେ ଜାଣି ସାରିଲାଣି ଯେ ଥରେ ଆପ୍‌ ଲୋକସଭାରେ କିଛି ଆସନ ଦଖଲ କରିଦେଲେ, ତାକୁ ହଟାଇବା କଂଗ୍ରେସ ପକ୍ଷେ କାଠିକର ପାଠ ହୋଇଯିବ । ସେହିଭଳି ବିଜେପି ମଧ୍ୟ ଆପ୍‌’କୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଧରିନେଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ଦୁଇପାଳି ଶାସନ କରିସାରିଲାଣି । ତୃତୀୟ ପାଳି ଶାସନ କରି ବିଜେପି ମେଂଟ ହାଟ୍ରିକ୍‌ ଅର୍ଜନ କରିବାକୁ ବସିଥିଲା ବେଳେ ଆପ୍‌ ମେଂଟ ସେଥିରେ ବାଧା ସୃଷ୍ଟି କରିବାକୁ ବସିଛି ।