ବିଜେପି ନେଇଛି ମୋ ଭାଗ ୧ ଲକ୍ଷ ୭୨ ହଜାର ଟଙ୍କା

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚକେଇସିହାଣି ଭିକାରୀର ପ୍ରଶ୍ନ ….

ନୂଆଦିଲ୍ଲୀ: ୨୦୧୪ରୁ ଦେଶର ଅର୍ଥନୀତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଟରେ ଗତି କରୁଛି । ଦେଶରେ ଲୋକଙ୍କ ମୁଣ୍ଡପିଛା ଆୟ ଦୁଇଗୁଣା ବଢ଼ିଛି ବୋଲି ଏକ ସର୍ବେକ୍ଷଣ ରିପୋର୍ଟ ଦାବି କରିଛି । ୨୦୧୪-୧୫ରେ ଲୋକଙ୍କ ମୁଣ୍ଡପିଛା ଆୟ ୮୬,୬୪୭ ଟଙ୍କା ଥିଲାବେଳେ ୨୦୨୨-୨୩ରେ ତାହା ଏକ ଲକ୍ଷ ୭୨ ହଜାରକୁ ବୃଦ୍ଧି ପାଇଛି । ୯ ବର୍ଷ ଭିତରେ ମୁଣ୍ଡପିଛା ଆୟ ୯୯% ବୃଦ୍ଧି ପାଇଛି ବୋଲି କୁହାଯାଇଛି । ରିପୋର୍ଟରେ କରୋନା ମହାମାରୀକୁ ଲୋକଙ୍କ ଆୟ ରାସ୍ତାରେ ମୁଖ୍ୟ ପ୍ରତିବନ୍ଧକ ଭାବେ ବର୍ଣ୍ଣନା କରାଯାଇଛି । କରୋନା ସତ୍ୱେ ୨୦୨୧-୨୨ ଓ ୨୦୨୨-୨୩ରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଥିବା ଜଣାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏଭଳି ମନଗଢ଼ା ରିପୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତ୍ମଶାନ୍ତି ପ୍ରଦାନ କରିଛି । ମାତ୍ର ଚକେଇସିହାଣି ଶନି ମନ୍ଦିର ସାମ୍ନାରେ ବସି ହାତ ପତାଇ ଭିକ ମାଗୁଥିବା ଲୋକଙ୍କ ମନରେ ଗଭୀର ଦୁଃଖ ଭରିଛି ।

ଭିକାରୀ ନେତ୍ରାନନ୍ଦ କହିଛି, ୨୦୧୪ରେ ମୋ ଆୟ ଯେତିକି ଥିଲା, ୨୦୨୩ରେ ମୋ ଆୟ ତା’ଠାରୁ ବେଶି କମିଯାଇଛି । ୨୦୨୦ରେ କରୋନା ଭୟରେ ମନ୍ଦିର ବନ୍ଦ ରହିଲା । ଯାହା ସାଇତି ରଖିଥିଲି, ସେଇଥିରେ ଚଳିଗଲି । ୨୦୨୧ରେ ମନ୍ଦିର ଖୋଲିବାରୁ ଗୋଟିଏ ଓଳି ଖୋରାକି ମିଳିଗଲା । ଆର ଓଳିଟି ଶୁଖିଲା ଚୁଡ଼ାରେ ଚଳି ଯାଉଥିଲି । ୨୦୨୨ରେ ଗୋଟିଏ ଓଳି ସରକାରଙ୍କ ୫ ଟଙ୍କିଆ କାଙ୍ଗାଳି ଭୋଜନ ଶାଳାରେ ଖାଇଦେଉଛି । ଆର ଓଳିଟି ଘରେ ପଖାଳପାଣିରେ କାଟି ଦେଉଛି । ୨୦୧୪ରେ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ମୋ ମୁଣ୍ଡପିଛା ଆୟ ୮୬ ହଜାର ୬୪୭ ଟଙ୍କାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକାଉଂଟରେ ଜମା କରି ଦେଇଛନ୍ତି ତାଙ୍କର ଲାଂଚୁଆ ଅଫିସରମାନେ । ୨୦୨୨ରେ ମୋ ମୁଣ୍ଡପିଛା ଆୟ ୧ ଲକ୍ଷ ୭୨ ହଜାର ଟଙ୍କାକୁ ବିଜେପି ଆକାଉଂଟରେ ଜମା କରାଯାଇଛି ୨୦୨୪ ଲୋକସଭା ନିର୍ବାଚନ ପାଇଁ ।

ନେତ୍ରାନନ୍ଦର କଥା ଶୁଣି ଚକେଇସିହାଣିରେ ବସବାସ କରୁଥିବା କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡପିଛା ଆୟ ରିପୋର୍ଟ ଭିତରେ କେବଳ ସରକାରୀ କର୍ମଚାରୀଙ୍କୁ ସାମିଲ କରାଯାଇଛି । ଭିକ ମାଗୁଥିବା ଲୋକ, ଦାଦନ ଶ୍ରମିକ, ଦିନ ମଜୁରିଆଙ୍କୁ ସାମିଲ କରାଯାଇନି ।