ନବୀନବାବୁଙ୍କ ଦୃଷ୍ଟିରେ ଆମ ପାଇଁ ପୋଖରି ପାଣି ଅମୃତ

ଆମ ଭଳି ଇତର ପ୍ରାଣୀ ପକ୍ଷେ ପୋଖରି ପାଣି ଅମୃତ …

ଭୁବନେଶ୍ୱର: ନବୀନ ବାବୁ ଆଇଥେଲେ । ଆମକୁ ପାଇପରୁ ପାଣି ଦେବେ ବୋଲି କହିଥେଲେ । ଗାଅାଁ ଦାଣ୍ଡରେ ପାଇପ ବେକ ଦେଖେଇଛି । ମାତ୍ର ପାଣି ଟୋପାଟେ ଆସୁନି । ଏ ଅଭିଯୋଗ କରିଛନ୍ତି ୭୦ ବର୍ଷର ବୁଢ଼ୀ ମା’ । ବୟସରେ ନବୀନବାବୁଙ୍କଠାରୁ ସାନ; ମାତ୍ର ସଂପୃକ୍ତ ବୁଢ଼ୀ ମା’ଙ୍କର ଆଖି କୋଟର ଭିତରେ ପଶିଯାଇଛି । ପାଣି ଟୋପେ ପାଇଁ ଗରାଟିଏ ଧରି ଦୁଇ କିଲୋମିଟର ଯାଉଛନ୍ତି ।

ଅମୃତ ଯୋଜନାରେ ନିର୍ମିତ ପ୍ରକଳ୍ପରୁ ପାଣି ପାଉନାହାନ୍ତି କଟକ ସଦର ବ୍ଲକ ନିମେଇଷାପୁର ପଂଚାୟତ ନିମେଇଷାପୁର, ଦିଗି, ନରହରିପୁର ଭୋଇସାହି ବାସିନ୍ଦା । ନିମେଇଷାପୁର ଶିବମନ୍ଦିର ନିକଟରେ ଗ୍ରାମ୍ୟ ଜଳଯୋଗାଣ ପକ୍ଷରୁ ପମ୍ପ ହାଉସ୍‌ ନିର୍ମାଣ କରାଯାଇଥିଲା । ପ୍ରକଳ୍ପ ନିର୍ମାଣ ସରିଛି, ମାତ୍ର ପାଣି ବାହାରୁନି । ମାତ୍ର ମରାମତି ଆଳରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଛି ।

ଆଉ ଗୋଟିଏ ଅଭିଯୋଗ ଆସିଛି ପିପିଲି ବ୍ଲକ ଯଶୁଆପୁର ପଂଚାୟତ ଗୋପଦା ଗ୍ରାମରୁ । ସେଠାରେ ଲୋକମାନେ ପୋଖରୀ ପାଣି ପିଇବାକୁ ବାଧ୍ୟ ହୋଇଛନ୍ତି । ଲୋକମାନେ ଦୀର୍ଘ ୮୦ ବର୍ଷ ଧରି ପୋଖରି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ଆସୁଛନ୍ତି । ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଯଦି ଏପରି ହିନସ୍ତା । ତା’ହେଲେ ସୁଦୂର ମୟୁରଭଞ୍ଜ ଜିଲ୍ଲାର ଅଗନା ଅଗନି ଇଲାକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁଥିବା କେତେ ସତ? ଯଶୁଆପୁର ପୋଖରିରେ ଗ୍ରାମବାସୀ ଶୌଚ ହେଉଛନ୍ତି, ଗୋରୁଗାଈ କୁକୁର ବତକଠାରୁ ଆରମ୍ଭ କରି ଯାବତୀୟ ଜୀବଜନ୍ତୁଙ୍କ ପାଇଁ ପୋଖରି ପାଣି ଅମୃତ । ନବୀନବାବୁଙ୍କ ଅମୃତମୟ ପୋଖରିରେ ମହିଳାମାନେ ବାସନକୁସନ ମାଜିବାଠାରୁ ଆରମ୍ଭ କରି ଯାବତୀୟ କାମ କରୁଛନ୍ତି ।

ପୋଖରି ପାଣିକୁ ବ୍ୟବହାର କରି ଗ୍ରାମର ପୁରୁଷ, ମହିଳା, ପିଲାମାନେ ନାନା ସଂକ୍ରାମକ ରୋଗରେ ପଡୁଛନ୍ତି । ଗ୍ରାମରେ ଗୋଟିଏ ନଳକୂଅ ରହିଛି; ମାତ୍ର ତା’ର ପାଣି ପିଇବା ପାଇଁ ଅନୁପଯୋଗୀ । ଗ୍ରାମର ସୌରଚାଳିତ ନଳକୂଅ ଅଚଳ । ଗ୍ରାମର ଲୋକମାନେ ଭଗବାନଙ୍କ ଉପରେ ଭରସା କରି ପୋଖରୀ ପାଣିକୁ ଆଶ୍ରା କରିଛନ୍ତି । ସେମାନଙ୍କ ଦୃଷ୍ଟିରେ ନବୀନବାବୁ ବଡ଼ଲୋକ । ଭଗବାନଙ୍କ ଦ୍ୱିତୀୟ ଅବତାର । ନବୀନବାବୁଙ୍କ ପାଇଁ ଜୀବନଟା ଭାରି ମୂଲ୍ୟବାନ, ସେମାନେ ସାମାନ୍ୟ ଇତର । ପୋଖରି ପାଣି ପିଇବା ସେମାନଙ୍କ ପ୍ରତି ଭଗବାନଙ୍କର ଆଶୀର୍ବାଦ ।