ଦୁର୍ନୀତି ଅଭିଯୋଗ ପ୍ରମାଣିତ ପରେ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍‌ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଶ୍ରୀ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ସମ୍ମତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀ କୁମାର ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁରୀ କରିଥିଲେ ଯାହା ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ଶ୍ରୀ କୁମାରଙ୍କ ବିରୁଦ୍ଧରେ ଓଡିଶା ସରକାର ୨୭ଟି ଭିଜିଲାନ୍‌ସ କେସ୍‌ ଦାୟର କରିଥିଲେ । ସେଥିମଧ୍ୟରୁ ଦୁଇଟି କେସରେ ଶ୍ରୀ କୁମାର ଦୋଷୀ ପ୍ରମାଣିତ ହୋଇଛନ୍ତି । ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ କରିଆସୁଛନ୍ତି ।