୨୫ ବର୍ଷ ପରେ ଗାଁକୁ ଫେରିଲେ ବିରଜୁ

ଭୁବନେଶ୍ୱର(ଏସ୍ ନ୍ୟୁଜ):୨୫ ବର୍ଷ ପରେ ଓଡିଶାକୁ ଫେରିଲେ ବିରଜୁ କୁଲୁ । ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଜେଲରେ ୨୦ ବର୍ଷ ବନ୍ଦୀ ଥିଲେ ସୁନ୍ଦରଗଡର ବିରଜୁ । ଲାହୋର ଜେଲରୁ ମୁକ୍ତିପରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ତେବେ ସୁନ୍ଦରଗଡ ପ୍ରଶାସନ ସହାୟତାରେ ବିରଜୁ ଗାଁକୁ ଫେରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ କୁତ୍ରା ବ୍ଲକ ଅଫିସ୍‌ରେ ପହଞ୍ଚିଥିବା ବିରଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ଟିମ୍‌ ବିରଜୁଙ୍କୁ ନେଇ ନିଜ ଗାଁ କଟଙ୍ଗରେ ପହଞ୍ଚିଥିବା ପରେ ଭବ୍ୟ ସ୍ୱାଗତ ସହ ତାଙ୍କୁ ଘରକୁ ନିଆଯାଇଛି ।

ଓଡିଶା ଫେରିବା ପରେ ୨୫ ବର୍ଷ ପରେ ଓଡ଼ିଶା ମାଟିରେ ପାଦ ଥାପିବା ପରେ ଭଲ ଲାଗୁଛି ବୋଲି କହିଛନ୍ତି ଶତ୍ରୁ ରାଷ୍ଟ୍ରରେ ବନ୍ଦୀ ଜୀବନ କାଟି ଫେରିଥିବା ବିରଜୁ କୁଲୁ । ‘ଅନ୍ୟମନସ୍କ ଭାବେ ପାକ୍ ସୀମା ପାର୍ କରିଥିଲି । ଜେଲରେ ରୁଟି ଓ ଡାଲି ଖାଇବାକୁ ମିଳୁଥିଲା ।’ଆଜି କୁନ୍ତୁ ଗାଁକୁ ଆସି ମୋ ଆତ୍ମୀୟଙ୍କୁ ଦେଖିବା ପରେ ମତେ ବହୁତ ଖୁସି ଲାଗୁଛି ।

ବିରଜୁଙ୍କର ନିଜର ବୋଲି ଏକମାତ୍ର ଭଉଣୀକୁ ଛାଡ଼ି ଦେଲେ ଆଉ କେହି ନାହାନ୍ତି। ଭାଇ ଫେରିବ ବୋଲି ଆଶା ରଖି ନ ଥିବା ଭଉଣୀ ଆଜି କୁତ୍ରାରେ ପହଞ୍ଚି ଭାଇକୁ ଦେଖିଥିଲେ । ଦୀର୍ଘ ୨୫ ବର୍ଷ ପରେ ନିଜ ଭାଇକୁ ଆଖି ପୂରାଇ ଦେଖିପାରିଥିବାରୁ ଭଗବାନକୁ ଧନ୍ୟବାଦ ଦେଇଥିଲେ ତାଙ୍କ ଭଉଣୀ । ଏଥିସହ ଉଭୟଙ୍କ ଆଖିରୁ ଝରି ପଡ଼ିଥିଲା ଅମାନିଆ ଲୁହ।

୨୫ ବର୍ଷ ଧରି ନିଖୋଜ ହେବା ପରେ ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା । ଏହାପରେ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେପଟେ ପରିବାର ଲୋକେ ବିରଜୁଙ୍କୁ ସ୍ୱାଗତ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏପଟେ ରାସନ କାର୍ଡ ସହ ବିରଜୁଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଡିଓ ।

ଏଠାରେ ପ୍ରକାଶଥାଉକି ,କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗର ପଡାର ମାରକୁସ କୁଲୁ ଓରଫ୍ ବିରଜୁ ମାନସିକ ଅନଗ୍ରସ ଥିଲେ। ପ୍ରାୟ ୨୫ ବର୍ଷ ତଳେ କିଶୋର ଥିବା ବେଳେ ସେ ଘରଛାଡି ଝାଡଖଣ୍ଡକୁ ଚାଲି ଯାଇଥିଲେ। ସେଠାରୁ ପୁଣି କୁଆଡ଼େ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ପରିବାରବର୍ଗ ତାଙ୍କୁ ଢେର ଖୋଜାଖୋଜି କରି ନିରାଶ ହୋଇଥିଲେ। ତାଙ୍କ ଫେରିବା ବାଟକୁ ଅନାଇ ବାପା ମା’ ଆରପାରିକୁ ଚାଲିଗଲେଣି। ଏବେ ଏକମାତ୍ର ବଡ ଭଉଣୀ ଅଛନ୍ତି। ସେ ଓ ଗାଁ ଲୋକେ ବିରଜୁ ଆଉ ଇହଜଗତରେ ନାହାନ୍ତି ବୋଲି ଭାବିନେଇ ଥିଲେ । ଏତିକି ବେଳେ ହଠାତ୍ ନିକଟ ଅତୀତରେ ତାଙ୍କ ପରିଚୟ ଓ ଠିକଣା ଯାଞ୍ଚ ପାଇଁ ପୁଲିସ୍ ବିରଜୁଙ୍କ ଘରେ ପହଞ୍ଚି ଥିଲା। ଏହାପରେ ନିରୁଦ୍ଦିଷ୍ଟ ବିରଜୁ ପାକିସ୍ତାନ ଜେଲରେ ସଜା କାଟୁଥିବା ଜଣା ପଡିଥିଲା ।ସେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ପାକିସ୍ତାନୀ ସୈନ୍ୟମାନେ ଭାରତର ଗୁପ୍ତଚର ଭାବି ଧରି ନେଇ ଲାହୋର ଜେଲରେ ୨୦ ବର୍ଷ ରଖିଥିଲେ। ସେଠାରେ ସେ ୨୦ ବର୍ଷ ବନ୍ଦୀ ଭାବେ ଜୀବନ କାଟିବା ପରେ ତାଙ୍କୁ ମୁକ୍ତ କରା ଯାଇଥିଲା।ପାକିସ୍ତାନୀ ସୈନ୍ୟ ତାଙ୍କୁ ୱାଘା ବୋର୍ଡରରେ ଭାରତକୁ ହସ୍ତାନ୍ତର କରିଥିଲେ । ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ଭିତରେ ବିରଜୁ ନିଜର ମାତୃଭାଷା ଓଡ଼ିଆ ଭୁଲି ଯାଇଥିବା କୁହାଯାଇଛି।