ବାଲେଶ୍ଵରର ଉପନିର୍ବାଚନରେ କାହାର ହେବ ବାଜିମାତ, କଣ କହୁଛନ୍ତି ୩ ଦଳ ଆସନ୍ତୁ ଜାଣିବା


ବାଲେଶ୍ଵରରେ ଉପନିର୍ବାଚନରେ ବିଜେଡି ପ୍ରାଥି ଘୋଷଣା ପରେ ଅସନ୍ତୋଷ ପ୍ରସଙ୍ଗରେ ରାଜ୍ୟର ତିନ ପ୍ରମୁଖ ଦଳ ମଧ୍ୟରେ ଜାରି ରହିଛି ତୁ- ତୁ, ମେଁ-ମେଁ। ଉପନିର୍ବାଚନରେ କାହା ଦଳ କେତେ ଶକ୍ତ ଆଉ କାହାର ପ୍ରାଥୀ କେତେ ସଠିକ ଓ ସ୍ୱଚ୍ଛ , କିଏ ଏଠାରେ ବାଜିମାତ କରିବ ସେନେଇ ତିନ ଦଳ ଭିନ୍ନ ଭିନ୍ନ ମତ ରଖିଛନ୍ତି।

ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତିଯେ , ବିଜେଡି ବାହାର ଲୋକଙ୍କୁ ପାର୍ଥି କରିଛି। ଜେନାଙ୍କୁ ପ୍ରାଥି କରିନି। ବିଜେପି-ବିଜେଡି ମିଶି ଯାଇଛନ୍ତି। ଉଭୟ ଦଳର ଡିଲ କରି ପ୍ରାଥି ଦେଇଛନ୍ତି। ଗୋଷ୍ଠି କନ୍ଦଳ ରୁ ଫାଇଦା ନେବ କଂଗ୍ରେସ। କଂଗ୍ରେସ ବାଲେଶ୍ଵର ଓ ତିର୍ତୋଲରେ ଭଲ ପ୍ରାଥି ଦେଇଛି। ଦଳ ନିଶ୍ଚିତ ଜିତିବ।

ସେପଟେ ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିଛନ୍ତି, ଏହି ଆସନରେ ବିଜେଡିର କନ୍ଦଳ ଓ ଦ୍ଵନ୍ଦ ଆଜି ପ୍ରତିଫଳିତ ହେଉଛି । ବାଲେଶ୍ଵରରେ ଏ କଥା ପଦାକୁ ଫୁଟି କି ବହାରିଲାଣି ଯେ ବିଜେଡିରେ ଦ୍ଵନ୍ଦ କେଉଁ ସ୍ତରକୁ ଯାଇଛି । ଗୋଟିଏ ଦ୍ଵନ୍ଦତ୍ମକ ଓ ବିଶୃଙ୍ଖଳା ସ୍ଥିତିରେ ବିଜେଡି ଏଥର ନିର୍ବାଚନ ଲଢ଼ିବ । କେବଳ ଅଫିସର ମାନଙ୍କୁ ନେଇ ପ୍ରାୟୋଜିତ ଭାବେ ଲଢ଼ିବା ବିଜେଡି ପାଖରେ ସେହି ଗୋଟିଏ ଭରସା ଅଛି । ଅଫିସର ମାନଙ୍କ ଉପରେ ଆଶା ରଖି ବିଜେଡି ଦୁଇ ଉପନିର୍ବାଚନ ଲଢ଼ୁଛି କାରଣ ଦଳୀୟ କର୍ମୀଙ୍କ ଭିତରେ ଥିବା ଅସନ୍ତୋଷ ଓ କନ୍ଦଳ କୁ ସଜାଡି ପରିବାର ଶକ୍ତି ଆଜି ବିଜୁ ଜନତା ଦଳର ନେତାଙ୍କ ପାଖରେ ନାହିଁ । କିନ୍ତୁ ଭାରତୀୟ ଜନତା ପାର୍ଟି ଆଜି ଏକ ମୁହାଁ ହୋଇ ଦୁଇଟି ଯାକ ନିର୍ବାଚନ ଲଢ଼ୁଛି ଏବଂ ଲୋକଙ୍କର ବିଶ୍ୱାସ ଭାଜନ ହେବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ନେଇ ଆମେ ନିର୍ବାଚନ ଲଢ଼ୁଛୁ । ଆଉ ଆମେ ଦୁଇଟି ଜାଗାରେ ଲୋକଙ୍କ ବିଶ୍ୱାସ ଜିତିବୁ ।

ଦୁଇ ଦଳର କଟାକ୍ଷର ଉତ୍ତର ରଖିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ରଙ୍କ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଟିକେଟ ଦିଆଯାଇଛି ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ ଏକ ବିରାଟ ଦଳ ତେଣୁ କିଛି ଗୋଷ୍ଠୀ କନ୍ଦଳ ରହିବ । ରାଜନୀତିରେ କେହି ସନ୍ୟାସୀ ହେବାକୁ ଆସିନାହାନ୍ତି ତେଣୁ ଯେଉଁ ମାନଙ୍କର ଇଚ୍ଛା ଅଛି ସେମାନେ ଆଗ୍ରହୀ ହେବା ସ୍ୱାଭାବିକ। କିନ୍ତୁ ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେଲେ ସବୁବେଳେ କର୍ମୀ ମାନେ ତାକୁ ମାନନ୍ତି ଆଜି ବି ସେ ନିଷ୍ପତିକୁ ଗ୍ରହଣ କରିବେ । ଗତକାଲି ମଧ୍ୟ ରବୀନ୍ଦ୍ର ଜେନା ତାଙ୍କ ସମର୍ଥକ ମାନଙ୍କୁ ବୁଝାଇଛନ୍ତି। ଆଜି ବି ତାଙ୍କ ସହିତ ଆଲୋଚନା ଚାଲିଛି । ତେଣୁ କୌଣସି ବିଶୃଙ୍ଖଳା ଉପୁଜୀବ ନାହିଁ । ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଉପନିର୍ବାଚନ ପାଇଁ ଲାଗିବେ ।