ଓଡ଼ିଶାରୁ ୯ମାସରେ ଜବତ ହେଲାଣି ୧୫୫୪ କୁଇଣ୍ଟାଲ ଗଞ୍ଜେଇ: ଡିଜିପି

ଭୁବନେଶ୍ବର (ଏସ ନ୍ୟୁଜ ): ଜାନୁୟାରୀରୁ ସେପ୍ଟେମ୍ବର ୯ମାସରେ ରାଜ୍ୟରୁ ଏକ ହଜାର ୫୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହା ହେଉଛି ଓଡ଼ିଶାର ବର୍ଷଟେ ମଧ୍ୟରେ ଜବତ ହୋଇଥିବା ପରିମାଣ ଠୁ ଅଧିକ। ତେଣୁ ଓଡ଼ିଶାରେ ବ୍ରାଉନସୁଗାର ଓ ଗଞ୍ଜେଇ ବିରୋଧରେ ଜାରି ରହିବ ଅଭିଯାନ। ଚାଲାଣ ରୋକିବାକୁ ଆହୁରୀ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ୍ ଡିଜି ଶ୍ରୀ ଅଭୟ।

ଓଡ଼ିଶା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୧୦ରେ ୭୩ କୁଇଣ୍ଟାଲ, ୨୦୧୧ରେ ୨୦୮ କୁଇଣ୍ଟାଲ, ୨୦୧୨ରେ ୧୦୭ କୁଇଣ୍ଟାଲ, ୨୦୧୩ରେ ୩୭୧ କୁଇଣ୍ଟାଲ, ୨୦୧୮ ରେ ୨୮୮ କୁଇଣ୍ଟାଲ, ୨୦୧୫ ରେ ୧୯୮ କୁଇଣ୍ଟାଲ, ୨୦୧୬ରେ ୪୨୮ କୁଇଣ୍ଟାଲ, ୨୦୧୭ରେ ୩୦୪ କୁଇଣ୍ଟାଲ, ୨୦୧୮ରେ ୫୨୩ କୁଇଣ୍ଟାଲ, ୨୦୧୯ରେ ୬୧୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି।

କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ କୁଇଣ୍ଟାଲ, ଗଜପତିରୁ ୧୨୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ଏବଂ ମାଫିକଆଙ୍କୁ ଧରିବା ପାଇଁ ୫ଟି ରାଜ୍ୟର ପୁଲିସ୍ ଡିଜିଙ୍କ ସହ ବୈଠକ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ପୋଲିସ୍ ଡିଜି।

ଏହାସହ ନିଶା ମାଫିଆମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁନ ଗ୍ରହଣ କରିବାକୁ ଶ୍ରୀ ଅଭୟ ନିର୍ଦେଶ ଏସ୍ପିମାନଙ୍କୁ ଦେଇଛନ୍ତି ।୫ଟି ରାଜ୍ୟର ପୁଲିସ୍ ଡିଜି ସମସ୍ତେ ସମସ୍ତଙ୍କ ସହ ତଥ୍ୟ ଆଦାନ ପ୍ରଦାନ ପାଇଁ ରାଜି ହୋଇଛନ୍ତି । ସବୁ ରାଜ୍ୟ ଜଣେ ଜଣେ ନୋଡାଲ୍ ଅଫିସରଙ୍କୁ କୋଅର୍ଡିନେଟର୍ ଭାବେ ନିଯୁକ୍ତ କରିବାକୁ ସହମତି ପ୍ରକାଶ ପାଇଛି । ସାଟେଲାଇଟ୍ ମ୍ୟାପିଂ ପ୍ରସଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍‌ସି ସହିତ ରାଜ୍ୟ ପୋଲିସ ବିଭାଗ ଯୋଗସୂତ୍ର ରକ୍ଷା କରୁଛନ୍ତି । 

ତେବେ ତିନୋଟି ଦିଗ ଉପରେ ପୋଲିସ ଗୁରୁତ୍ବ ଦେଇଛି । ଆର୍ଥିକ କାରବାର, ସଂଗଠିତ ଅପରାଧ ଓ ଷଡ଼ଯନ୍ତ୍ର ସୂତ୍ରଧରଙ୍କୁ ଧରି ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିବା ଉପରେ ଡିଜିପି ଗୁରୁତ୍ୱ ଦେଇଛନ୍ତି । ଗଞ୍ଜେଇ ଚାଷ ବନ୍ଦ ପାଇଁ ନୂଆ ରଣନୀତିରେ କାମ ହେଉଛି । ଗୁଇନ୍ଦା ସଫଳତା ଯୋଗୁଁ ଅଧିକ ଗଞ୍ଜେଇ ଜବତ ହୋଇଛି । NCBର ସହାୟତା ମିଳିଲେ ରଣନୀତି ସଫଳ ହେବ ବୋଲି ପୋଲିସ ଡିଜି କହିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାରେ ଗଞ୍ଜେଇ ଚାଷ ଜଙ୍ଗଲ ଓ ପାହାଡ଼ିଆ ଉତ୍କୃଷ୍ଟ ଅଞ୍ଚଳରେ ଅଣଓଡ଼ିଆ ଅର୍ଥଲଗାଣକାରୀ ମାଫିଆମାନେ ଏହି ଚାଷ କରାଉଛନ୍ତି। ଓଡ଼ିଶାର ଆଦିବାସୀମାନଙ୍କୁ ଚାଷ ପାଇଁ ସବୁ ପ୍ରକାର ସହଯୋଗ କରୁଛନ୍ତି ଗଞ୍ଜେଇ ମାଫିଆମାନେ। ଚାଷ ସିଜିନ୍ ଆରମ୍ଭରୁ ବେପାରୀମାନେ ଆସି ମଞ୍ଜି, ଚାରା, ପାଣି ମୋଟର, ସାର ଓ ଚାଷ ପାଇଁ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଅନ୍ତି। ଗଛରୁ କଲି ବାହାରିଲା ପରେ ପାରିଶ୍ରମିକ ବାବଦରେ କିଛି ଟଙ୍କା ଦେଇ ସେମାନେ ରାଜ୍ୟ ବାହାରକୁ ମାଲ୍ ଚାଲାଣ କରନ୍ତି। ଆଦିବାସୀ ଚାଷୀ ଓ କିଛି ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତବାରିସି କରି ଅଣଓଡ଼ିଆ ମାଫିଆମାନେ ବର୍ଷବର୍ଷ ଧରି ଏହି କାରବାର ଚଳାଇ ଆସୁଛନ୍ତି। ବିଶେଷତଃ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଦେବଗଡ଼, ଅନୁଗୁଳ ଓ ସମ୍ବଲପୁରରେ ଏହି ଅଣଓଡ଼ିଆ ବେପାରୀଙ୍କ ଉପସ୍ଥିତି ଜାହିର ରହିଛି। ବର୍ଷକୁ ପ୍ରାୟ ୧୫ଶହ କୋଟି ଟଙ୍କାର ବେପାର ହେଉଥିବା ଆକଳନ କରାଯାଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିହାର ଓ କେରଳର ସର୍ବାଧିକ ଗଞ୍ଜେଇ ମାଫିଆଙ୍କ ପ୍ରଭାବ ଓଡ଼ିଶାରେ ରହିଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ, କନ୍ଧମାଳ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ଏହି ଦୁଇ ରାଜ୍ୟର ମାଫିଆ ନିୟନ୍ତ୍ରଣ କରୁଛନ୍ତି। ବିଶେଷକରି ଆଦିବାସୀଙ୍କୁ ଟାର୍ଗେଟ କରନ୍ତି ଅଣଓଡ଼ିଆ ମାଫିଆମାନେ। ଅଳ୍ପ ପାରିଶ୍ରମିକରେ ସେମାନେ ଚାଷ କରନ୍ତି। ମଞ୍ଜି, ଚାରା, ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତି ମାଫିଆ।

ଚାଷୀମାନଙ୍କୁ କେବଳ ଯାହା ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ପଇସାଟିଏ ଖର୍ଚ୍ଚ କରିବାକୁ ପଡ଼ିନଥାଏ। ତେଣୁ ଲାଭ କ୍ଷତିର ହିସାବ ନଥିବାରୁ ଚାଷୀମାନେ ଏଥିପ୍ରତି ଅଧିକ ଆଗ୍ରହ କରୁଛନ୍ତି। ପ୍ରାୟ ୪ ମାସ ପରେ ଗଛରୁ କଲି ବାହାରେ ଓ ଏଜେଣ୍ଟଙ୍କ ଜରିଆରେ ମାଫିଆମାନେ ରାଜ୍ୟ ବାହାରକୁ ଚାଲାଣ କରାଯାଏ। ପରିବା ଟ୍ରକ୍, ଟ୍ୟାଙ୍କର, ଗ୍ରୋସରି ସାମଗ୍ରୀ ବାହାନାରେ ଓଡ଼ିଶା ସୀମା ଦେଇ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ । ସେହିଭଳି ସମ୍ବଲପୁର, ଦେବଗଡ଼, ଅନୁଗୁଳରେ ଗଞ୍ଜେଇ ଅମଳ ହେବା ପରେ ତାଳଚେରରୁ ଟ୍ରେନ୍ ଯୋଗେ ଚାଲାଣ ହୋଇଥାଏ। ଏହି ଦୁଇ ରାଜ୍ୟ ବାଦ୍ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ମାଫିଆମାନେ ମଧ୍ୟ କିଛି ଅଞ୍ଚଳକୁ ନିୟନ୍ତ୍ରଣ କରୁଛନ୍ତି।