ମିଲର୍ସଙ୍କ ଟଙ୍କାରେ ପଂଚାୟତ ନିର୍ବାଚନ ଲଢୁଛି ବିଜେଡି: ପ୍ରଦୀପ ପୁରୋହିତ୍‌

ଭୂବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) ତା.୦୪/୦୨: ରାଜ୍ୟରେ ବିଜେଡି ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମସଗୁଲ୍‌ ଥିବାବେଳେ ମିଲର୍ସମାନଙ୍କ ଅକ୍ତିଆରରେ ମଣ୍ଡି ଏବଂ ସରଳ ଚାଷୀ । ଚଳିତ ପଂଚାୟତ ନିର୍ବାଚନ ପାଇଁ ଶାସକ ବିଜେଡିକୁ ୫୦୦ କୋଟି ଟଙ୍କାର ଦଳୀୟ ଚାନ୍ଦା ପ୍ରଦାନ କରିବାର ଦାୟୀତ୍ୱ ନେଇଥିବା ମିଲର୍ସମାନେ ଚାଷୀମାନଙ୍କକୁ ଶୋଷଣ କରିଚାଲିଥିବାବେଳେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଚାଷୀମାରଣ ନୀତିକୁ ସ୍ପଷ୍ଟ କରିଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କ୍ଷୋଭ ପ୍ରକାଶ କରିଛନ୍ତି ।

୧. ବିଜେଡି ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମସଗୁଲ୍‌ ଥିବାବେଳେ ମିଲର୍ସଙ୍କ ଅକ୍ତିଆରରେ ମଣ୍ଡି ଏବଂ ସରଳ ଚାଷୀ
୨. ଷଡଯନ୍ତ୍ର କରି ଚାଷୀମାନଙ୍କଠାରୁ କମ୍‌ ଦରରେ ଧାନ କିଣିଥିବା ମିଲର୍ସ ଏବଂ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯାଉ
୩. ପ୍ରତ୍ୟେକ ଆରଏମସି ପାଖରେ ଶହ ଶହ କୋଟି ଟଙ୍କା ଜମା ସତ୍ୱେ ମଣ୍ଡି ଭିତିଭୁମି ନାହିଁ

ରାଜ୍ୟରେ ମଣ୍ଡିର ବ୍ୟାପକ ଅବ୍ୟବସ୍ଥା କାରଣରୁ ସରଳ ଚାଷୀ ଶୋଷଣର ଶିକାର ହେଉଛି । କ୍ୱିଂଟାଲ ପିଛା ୮-୧୦ କେଜି କଟନୀ ଛଟନୀରେ ଚାଷୀମାନେ ଧାନ ବିକ୍ରି କରୁଛନ୍ତି । ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୁଲ୍ୟ ପାଇବା ତ ଦୁର କଥା କି୍ୱଂଟାଲ ପିଛା ମାତ୍ର ୧୦୦୦ ଟଙ୍କାରେ ବିକ୍ରି କରି ଚାଷୀ ବହୁ ପରିମାଣରେ କ୍ଷତି ସହୁଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ଚଳିତ ବର୍ଷ ଧାନ କିଣା ପାଇଁ ରାଜ୍ୟ ସରକାର ଯେଉଁ ପଲିସି ପ୍ରଚଳନ କରିଥିଲେ, ତାହା ସଂପୂର୍ଣ୍ଣ ଧୁଳିସାତ ହୋଇଛି । ଧାନ କିଣିବା ପାଇଁ ୧୫୧ ଦିନର ଅବଧି ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଥିଲା । ପ୍ରତିଦିନ ଚାଷୀଙ୍କଠାରୁ ମଣ୍ଡିରେ ଧାନ କିଣାଯିବ ସହିତ କେଉଁ ତାରିଖରେ କେଉଁ ମଣ୍ଡିକୁ ଏବଂ ଟୋକନର ସୁଚନାକୁ ଚାଷୀମାନଙ୍କ ମୋବାଇଲ ଜରିଆରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ବାସ୍ତବରେ ଏହା କେବଳ ଘୋଷଣାରେ ସୀମିତ ହୋଇ ରହିଲା ଏବଂ ଚାଷୀମାନେ ନାନା ପ୍ରକାର ହଇରାଣର ଶୀକାର ହେଲେ ବୋଲି ଶ୍ରୀ ପୁରୋହିତ୍‌ କହିଛନ୍ତି ।

ବରଗଡ, ସମ୍ବଲପୁର, କଳାହାଣ୍ଡି, ସୋନପୁର ଜିଲ୍ଲା ଭଳି ଜଳସେଚିତ ଅଂଚଳରେ ବିଳମ୍ବରେ ହେଲେ ମଧ୍ୟ ନଭେମ୍ବର ୨୫ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇଥିଲା । ଏହା ପୂର୍ବରୁ ଅଧିକାଂଶ ମିଲର୍ସମାନେ ମାତ୍ର ୧୦୦୦ ଟଙ୍କାରେ ଚାଷୀଙ୍କଠାରୁ ଧାନ କିଣି ନିଜ ଟାର୍ଗେଟ ପୁରଣ କରିସାରିଥିଲେ । ଚାଷୀର ଏଭଳି ଶୋଷଣ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାରୁ କମ୍‌ ଦରରେ ଧାନ କିଣିଲେ ମିଲର୍ସମାନଙ୍କୁ ଗିରଫ କରାଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଧମକ ଚାଷୀଙ୍କ ସ୍ୱାର୍ଥରେ ନା ୫୦୦ କୋଟି ଟଙ୍କା ଚାନ୍ଦା ଦେଇଥିବା ମିଲର୍ସମାନଙ୍କ ସ୍ୱାର୍ଥରେ, ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ୍‌ । ଷଡଯନ୍ତ୍ର କରି ଚାଷୀମାନଙ୍କଠାରୁ କମ୍‌ ଦରରେ ଧାନ କିଣିଥିବା ମିଲର୍ସ ଏବଂ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

ଚଳିତ ବର୍ଷ ପାଇଁ ୬୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଏବଂ ଏଥି ପାଇଁ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଧାନ କିଣାବିକାରେ ଆରଏମସି ୨ ପ୍ରତିଶତ କମିଶନ ମଧ୍ୟ କେନ୍ଦ୍ର ସରକାର ଦେଉଛନ୍ତି । ପାକ୍ସ ପ୍ରତି କ୍ୱିଂଟାଲରେ ୩୧ଟଙ୍କା ୨୫ ପଇସା ପାଇବା ସତ୍ୱେ ମଣ୍ଡି ଭିତିଭୁମି ନିର୍ମାଣ ହୋଇପାରିଲା ନାହିଁ । ପ୍ରତ୍ୟେକ ଆରଏମସି ପାଖରେ ଶହ ଶହ କୋଟି ଟଙ୍କା ଜମା ଅଛି । ରାଜ୍ୟରେ ଆରଏମସି ତତ୍ୱାବଧାନରେ ୩୩୬୫ଟି ମଣ୍ଡି ପରିଚାଳିତ ହେଉଛି । ଗତ ୨୨ ବର୍ଷରେ ରାଜ୍ୟର ୨୦୨୬ଟି ମଣ୍ଡିରେ ନିଜସ୍ୱ ଗୋଦାମ ଘର ନିର୍ମାଣ କରାଯାଇପାରିଲା ନାହିଁ । ୨୫୨୮ଟି ମଣ୍ଡିରେ ପିଣ୍ଡିର ବ୍ୟବସ୍ଥା ନାହଁ । ମାତ୍ର ମଣ୍ଡିରେ ଚାଷୀର ଧାନକୁ ସୁରକ୍ଷା ପାଇଁ ତାରପୋଲିନର ବ୍ୟବସ୍ଥା ମଧ୍ୟ କଲେ ନାହିଁ । ଚାଷୀ ଧାନ ରଖିବେ କେଉଁଠି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।

ଗତ ରବି ଓ ଖରିଫ ଧାନ ବିକ୍ରି ସମୟରେ ରାଜ୍ୟ ସରକାରଙ୍କ ଅପାରଦର୍ଶୀତା କାରଣରୁ ୨୦ ହଜାର ଚାଷୀଙ୍କ ଟୋକନ ଲାପ୍ସ ହୋଇଗଲା । ବିଜେପିର ଦାବୀ ପରେ ରାଜ୍ୟ ସରକାର କୈାଣସି ଗୋଟିଏ ଟୋକନ ଲାପ୍ସ ହେବାକୁ ଦିଆଯିବନାହିଁ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ମଧ୍ୟ ଚଳିତ ସିଜିନରେ ପାଖାପାଖି ୩୦୦୦ ରୁ ଉଦ୍ଧ୍ୱର୍ ଟୋକନ ଲାପ୍ସ ହୋଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ବିଜେପି ପ୍ରତିନିଧି ଦଳ ସୋନପୁର, ବୈାଦ୍ଧ, ବରଗଡ, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ସମେତ ଉପକୂଳ ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କ ମଣ୍ଡି ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲା । ଧାନର ମାନକୁ ନିର୍ଦ୍ଧାରଣ କରାନଯାଇ ମନଇଚ୍ଛା କଟନୀ ଛଟନୀ କରି ମିଲର୍ସମାନେ ଧାନ କିଣୁଥିଲେ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟନାୟକ ଓ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।