ବ୍ୟାଙ୍କ ଲୁଟେରାଙ୍କ ଭିତରେ ବିଜେଡି କର୍ମୀ!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ଶାସନକୁ ….

ଢେଙ୍କାନାଳ: କୁହାଯାଏ, ଅଧିକ କ୍ଷମତା ମଣିଷକୁ ଅନ୍ଧ କରିଦିଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ଶାସନକୁ ଶନିଦଶା ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ ଯୋଜନାଗୁଡ଼ିକୁ ଦୁର୍ନୀତି ଗ୍ରାସ କରିଥିଲା ବେଳେ ବିଜେଡିର ତଳିଆ କର୍ମୀମାନେ ବଟି ଆଦାୟଠାରୁ ଆରମ୍ଭ କରି ବ୍ୟାଙ୍କଲୁଟ ପର୍ଯ୍ୟନ୍ତ କାର୍ଯ୍ୟରେ ସାମିଲ ହେଉଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ଢେଙ୍କାନାଳ ଜିଲ୍ଲାର ମହାବିରୋଡ୍‌ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଓ ନଗଦ ୫ ଲକ୍ଷ ଟଙ୍କା ଲୁଟ୍‌ କରାଯାଇଛି । ଦୁବୃର୍ତମାନେ ବ୍ୟାଙ୍କରୁ ଗଲାବେଳେ ‘ଶଙ୍ଖବାବୁ ଜିନ୍ଦାବାଦ’ କହିଥିବାର କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ସୂଚନା ମୁତାବକ ମହାବିରୋଡ୍‌ ଥାନା ନିକଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରତାରେ ଅବସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଚାରିଜଣ ଯୁବକ ପ୍ରବେଶ କରି କ୍ୟାସିୟର ସମେତ ଅନ୍ୟ କର୍ମଚାରୀଙ୍କୁ କାବୁ କରି ଟଙ୍କା ଓ ସୁନା ଅଳଙ୍କାର ଧରି ପଲସରରେ ପଳାଇଛନ୍ତି । ମଧ୍ୟାହ୍ନ ବିରତି କାରଣରୁ ବ୍ୟାଙ୍କର କିଛି କର୍ମଚାରୀ ଖାଇବାକୁ ଚାଲି ଯାଇଥିଲା ବେଳେ ଗରାଖଙ୍କ ସଂଖ୍ୟା ମଧ୍ୟ ବେଶି ନଥିଲା । ଲୁଟ ପଛରେ ବ୍ୟାଙ୍କର କୌଣସି କର୍ମଚାରୀ ଜଡ଼ିତ ଥିବାର ଆଶଙ୍କା କରାଯାଉଛି । ବ୍ୟାଙ୍କ ପରିଚାଳକଙ୍କ ସୂଚନା ଅନୁସାରେ ଚାରିଟି ଟ୍ରଙ୍କରେ ୫୦୦ଟି ପ୍ୟାକେଟ୍‌ରେ ସୁନା ଅଳଙ୍କାର ରଖାଯାଇଥିଲା । ଦୁବୃର୍ତମାନେ ଫାଙ୍କା ଗୁଳି ଚଳାଇ ଷ୍ଟ୍ରଙ୍ଗରୁମ ଚାବି ହାସଲ କରିଥିଲେ ।

ଜିଲ୍ଲା ପ୍ରଶାସନର ତାଗିଦ ସତ୍ୱେ ବ୍ୟାଙ୍କ ଜଗିବା କାମରେ କୌଣସି ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇ ନଥିଲା । ସିସିଟିଭି ଖଞ୍ଜିଦେଇ ବ୍ୟାଙ୍କ କର୍ତୃପକ୍ଷ ନିଶ୍ଚିନ୍ତ ଥିବାରୁ ଏଭଳି ଦଶା ଭୋଗିଛନ୍ତି । ସୂଚନା ପାଇ ପୁଲିସ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି ।