ରାଜ୍ୟରେ ବିଜେପି କିଛି କରିପାରିବନି

ଗଲେ ସମୀର ଆସିଲେ ମନମୋହନ

ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ନେଇଛନ୍ତି ମନମୋହନ ସାମଲ ….

ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ନେଇଛନ୍ତି ମନମୋହନ ସାମଲ । ବିଦାୟ ନେଇଛନ୍ତି ସମୀର ମହାନ୍ତି । ଜଣେ ପଛୁଆ ବର୍ଗର ଅଭିଜ୍ଞ ନେତାଙ୍କୁ ସଭାପତି ପଦରେ ବସାଇ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି କିଛି ଗୋଟିଏ ଚମକାଇବ ବୋଲି ଭାବୁଛି । ଅତୀତରେ ସଭାପତି ଦାୟିତ୍ୱ ତୁଲାଇ ସାରିଛନ୍ତି ମନମୋହନ । ସଭାପତି ଭାବେ ଦଳକୁ ପରିଚାଳନା କରିବାର ଦକ୍ଷତା ଥିବାରୁ ଏଭଳି ଘଡ଼ିସନ୍ଧି ସମୟରେ ମନମୋହନଙ୍କୁ ବଛାଯାଇଛି । ସଭାପତି ହେବା ପରେ ମନମୋହନ କହିଛନ୍ତି ଯେ ସେ ସମସ୍ତଙ୍କୁ ସାଙ୍ଗରେ ଧରି ମଇଦାନକୁ ଓହ୍ଲାଇବେ ।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମନମୋହନଙ୍କୁ ଦଳର ସଭାପତି କରି ନଡ୍ଡା ଓ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ଚତୁର କାମ କରିଛନ୍ତି ବୋଲି ବାଲେଶ୍ୱର ସାଂସଦ କହିଛନ୍ତି । ମନମୋହନଙ୍କ ପ୍ରଶଂସା କରିବା ସମୟରେ ପ୍ରତାପ ଷଡ଼ଙ୍ଗୀଙ୍କ ପାଟିରେ ବାଟୁଳି ବାଜୁ ନଥିଲା । ବିଜେପିରେ ଏହି ଧାରା କାହିଁ କୋଉ ଅମଳରୁ ଚାଲିଆସୁଛି । ନୂଆ କରି କାହାକୁ ସଭାପତି କରାଯିବା ସମୟରେ ଭାରି ଆଦର ସମ୍ମାନ ମିଳିଥାଏ; ନିର୍ବାଚନ କି ଉପନିର୍ବାଚନ ପରାଜୟ ପରେ ସଭାପତିଙ୍କ ତିରସ୍କାର କରାଯାଏ ।

ରାଜ୍ୟରେ ବିଜେଡି-ବିଜେପି ମେଂଟ ସରକାର ଶାସନ କରୁଥିବା ସମୟରେ ମନମୋହନ ମନ୍ତ୍ରୀ ପଦ ଉପଭୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାହାବା ପାଇଛନ୍ତି । ଧାମନଗର ଉପନିର୍ବାଚନରେ ମନମୋହନଙ୍କ ନେତୃତ୍ୱକୁ ଅନୁଧ୍ୟାନ କରାଯିବା ପରେ ବିଜେପିର କେନ୍ଦ୍ରୀୟ ନେତାମାନେ ସମୀରଙ୍କୁ ହଟାଇଛନ୍ତି ବୋଲି କୁହାଯାଉଛି । ମାତ୍ର ରାଜ୍ୟ ରାଜନୀତିକୁ ନିୟମିତ ଭାବେ ଅନୁଧ୍ୟାନ କରୁଥିବା ବୁଦ୍ଧିଜୀବୀମାନେ ମନମୋହନଙ୍କ ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ପାରୁନାହାନ୍ତି ।
ବିଜେଡିର ନବୀନ-ପାଣ୍ଡିଆନ ଯୋଡ଼ିଙ୍କୁ ଟକ୍କର ଦେଲା ଭଳିଆ ମୁଣ୍ଡ ମନମୋହନଙ୍କ ପାଖରେ ନାହିଁ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି ।