ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ:ସମୀର ମହାନ୍ତି

 ଶାସକ ଦଳ ନିର୍ଦ୍ଦେଶରେ ପୁଲିସ ବିଜେପି କର୍ମୀମାନଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ରାଜ୍ୟସରକାର ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି
 ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି
 ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୨୬ ଲକ୍ଷରୁ ଅଧିକ ଘର ଆସିଛି
 ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍‌ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଂଟନ କେଳେଙ୍କାରୀରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି?
 ଯେଉଁ ଅଧିକାରୀ ଆବାସ ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଭଦ୍ରକ/ଭୁବନେଶ୍ୱର, (ଏସ୍ ନ୍ୟୁଜ୍) ତା.୦୪/୦୮: ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍‌ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟକର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ଏହାକୁ ବିରୋଧ କରିବାରୁ ବିଜେପି କାର୍ଯ୍ୟକର୍ତାମାନଙ୍କୁ ଶାସକ ଦଳ କର୍ମୀମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାର ସରଜମିନ ତଦନ୍ତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଭଦ୍ରକ ଜିଲ୍ଲା ଡିହିଡି ବ୍ଲକ କୁବେରା ଗ୍ରାମପଂଚାୟତ ପହଂଚି ଘଟଣାର ସତ୍ୟାସତ୍ୟ ପରଖିଛନ୍ତି । ଏହା ସହ ଯୋଗ୍ୟ ହିତାଧିକାରୀ ପରିବାର ଲୋକଙ୍କୁ ପ୍ରତିନିଧୀ ଦଳ ଭେଟି ଆଲୋଚନା କରିଛନ୍ତି ।

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲିବାରୁ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରାଯାଇଛି । ଅନ୍ୟପଟେ ଶାସକ ଦଳ ନିର୍ଦ୍ଦେଶରେ ପୁଲିସ ବିଜେପି କର୍ମୀମାନଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବାରୁ ରାତି ଅଧରେ ଗ୍ରୀଲ ତାଡି ଘରେ ପଶି ପୁଲିସ ନାଲି ଆଖି ଦେଖାଇ ସାଧାରଣ ଲୋକଙ୍କୁ ଗିରଫ କରିଛି । ଏଭଳି ଅତ୍ୟାଚାର ବ୍ରିଟିଶ ପୁଲିସ ଜୁଲୁମ ଠାରୁ ଟପିଗଲାଣି । ପୁଲିସ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିବା ଅମର ନାୟକ , ନିଶିକାନ୍ତ ନାଏକ, ଲଲାଟ ପରିଡାଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀ ମହାନ୍ତି ଭେଟି ଆଲୋଚନା କରିଥିଲେ । ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି ।
ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୨୬ ଲକ୍ଷରୁ ଅଧିକ ଘର ଆସିଛି । କିନ୍ତୁ ଦୁର୍ଭାଗ୍ୟର କଥା ଏବେବି ଅନେକ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡେ ପାଇବାରୁ ବଂଚିତ ରହିଛନ୍ତି । ପକ୍କା ଘର ବଂଟନରେ ଭଦ୍ରକ ଜିଲ୍ଲା ତିହିଡି ଅଂଚଳରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଅଂଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳି ନାହିଁ । ଗୋଟିଏ ଘରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ରହୁଛନ୍ତି । କଚ୍ଚା ଘରେ ଲୋକ ପାଲ ଟାଣି ରହୁଛନ୍ତି । କିନ୍ତୁ ଅଯୋଗ୍ୟ ହିତାଧିକାରୀ, ଧନିକ ଶ୍ରେଣୀ ଏବଂ ବିଜେଡି କର୍ମୀମାନଙ୍କୁ ପକ୍କା ଘର ବଂଟନ କରାଯାଇଛି । ଆବାସ ଯୋଜନାରେ ମହାଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍‌ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଂଟନ କେଳେଙ୍କାରୀରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ​
ତିହିଡି ବ୍ଲକ ଅଧ୍ୟକ୍ଷଙ୍କ ନିଜ ଗ୍ରାମରେ ବିଜୁଳୀ ପହଂଚି ପାରି ନାହିଁ । ନାଳ ନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି । ଚତୁର୍ଦ୍ଦଶ ଅର୍ଥ କମିଶନରେ ମୋଦି ସରକାର ପ୍ରତି ପଂଚାୟତକୁ ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଅର୍ଥକୁ ହରିଲୁଟ୍‌ କରୁଛନ୍ତି । ଚତୁର୍ଦ୍ଦଶ ଅର୍ଥ କମିଶନରେ ଆସିଥିବା ଅର୍ଥ କୁଆଡେ ଗଲା ଏବଂ କାହିଁକି ଖର୍ଚ୍ଚ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ । ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏହି ପ୍ରତିନିଧୀ ଦଳରେ ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ, ମନସ୍ମିତା ଖୁଂଟିଆ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୁଖ ସାମିଲ ଥିଲେ ।