ନବୀନବାବୁଙ୍କୁ ସୁହାଇଛି ବିଜେପିର ଅଘୋଷିତ ସମର୍ଥନ

ସ୍ୱପ୍ନ ଦେଖୁଥାଉ ବିଜେପି, କ୍ଷମତାରେ ଥାଉ ବିଜେଡି….

ଭୁବନେଶ୍ୱର: ସଭାମଂଚରେ ବିଜେଡି ଶାସନକୁ ତୀବ୍ର ସମାଲୋଚନା କରୁଛି ବିଜେପି । ମାତ୍ର ସଭାମଂଚରୁ ଓହ୍ଲାଇବା ପରେ ବିଜେପିର କେନ୍ଦ୍ରୀୟ ନେତାଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବାକୁ ପଛାଉ ନାହାନ୍ତି । ତା’ ନହୋଇଥିଲେ, ନୟାଗଡ଼ର ପରୀ’କୁ ନ୍ୟାୟ ଦେବା ପାଇଁ ବିଜେପି ନେତା ସମ୍ବିତ ପାତ୍ର ପୁରୀରୁ ନୟାଗଡ଼ ପଦଯାତ୍ରା କଲେ । କେନ୍ଦ୍ରରେ ବିଜେପି ମେଂଟ କ୍ଷମତାରେ ଥିବା ସତ୍ୱେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ତଦନ୍ତକୁ ସ୍ୱୀକାର କରି ‘ପରୀ’କୁ ନ୍ୟାୟ ଦେଇପାରିଲାନି ।

ଏହାଠାରୁ ବଳି ଦୁଃଖର କଥା ଆଉ କ’ଣ ହୋଇପାରେ? ସେହିଭଳି ମମିତା ମେହେର ମୃତ୍ୟୁ ମାମଲାରେ ବିଜେପି କେବଳ ବିକ୍ଷୋଭ ସମାବେଶ କରିଚାଲିଲା । ପ୍ରଧାନମନ୍ତ୍ରୀ ମୋଦୀ ଚାହିଁଥିଲେ କେନ୍ଦ୍ର ସରକାର ନିଜଆଡୁ ମମିତା ମେହେର ମାମଲାର ତଦନ୍ତ କରିପାରିଥାନ୍ତେ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପଦକ୍ଷେପକୁ ଦାୟୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରାଧୀଙ୍କୁ ଆଶ୍ରୟ ଦେବା ମନୋଭାବକୁ ସାଧାରଣରେ ଧରା ପକାଇ ପାରିଥାନ୍ତେ । ମାତ୍ର ସେପରି କିଛି ହେଲାନି । ଉଭୟ ପରୀ ଓ ମମିତା ମେହେର ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତା ରାଜ୍ୟବାସୀଙ୍କ ମନରେ ଦୁଇଟି ଆଶଙ୍କା ସୃଷ୍ଟି କରିଛି ।

ପ୍ରଥମଟି ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ରୁଟିପୂର୍ଣ୍ଣ ଶାସନକୁ ଜାଣିଶୁଣି ଅଣଦେଖା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦ୍ୱିତୀୟଟି ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ନିକଟରେ ଫିକା ପଡ଼ି ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟବାସୀଙ୍କ ମନରେ ଉଠିଥିବା ଦୁଇଟିଯାକ ଆଶଙ୍କା ଭୁଲ ପ୍ରମାଣିତ ନକରିବା ପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବାର ସ୍ୱପ୍ନ ଦେଖୁଥିବ । ମାତ୍ର ବାସ୍ତବରେ କିଛି କରିପାରିବନି ।

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୁବନେଶ୍ୱର ଗସ୍ତକୁ ଚାଲେଞ୍ଜ କରି କ୍ଷମତାସୀନ ବିଜେଡି ଦୁଇଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଜେଡିର ଦୁଇଦିନିଆ କାର୍ଯ୍ୟକ୍ରମକୁ ଦେଖି ସାଂସଦ ଅପରାଜିତା ଷଡ଼ଙ୍ଗୀ କଟାକ୍ଷ କରିଛନ୍ତି । ମାତ୍ର ଅପରାଜିତାଙ୍କ ଲୋକପ୍ରିୟତା ରାଜ୍ୟବାସୀଙ୍କୁ ଜଣା ଅଛି । ବିଜେପି ଟିକେଟ୍‌ ବଳରେ ଅପରାଜିତା ଭୁବନେଶ୍ୱର ଲୋକସଭା ଆସନଟିକୁ ଦଖଲ କଲେ ।

ମାତ୍ର ଭୁବନେଶ୍ୱର ମହାନଗର ନିଗମ ମେୟର ଆସନରେ ବିଜେପିକୁ ବସାଇ ପାରିଲେନି । ଏହାଠାରୁ ବଳି ପରାଜୟର କଥା ଆଉ କ’ଣ ହୋଇପାରେ? ଅକ୍ଟୋବର ଦୁଇ ତାରିଖରୁ ବିଜେଡି ମାସେକାଳ ସାରା ଓଡ଼ିଶା ବୁଲିବ । ଲୋକଙ୍କ ନିକଟକୁ ଯାଇ ନବୀନବାବୁଙ୍କ ଗୁଣ ଗାରିମା ଗାଇବ । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କୁ ମନାଇବ ।