ନବୀନବାବୁଙ୍କ ପ୍ରଥମ ଇନିଂସରେ ମହାଦୁର୍ନୀତି

ବିଧାୟକ ପଦ ହରାଇବେ କି ମହମ୍ମଦ ମୋକିମ୍‌?

୩ ବର୍ଷ ଜେଲ ଦଣ୍ଡାଦେଶ ପାଇଲେ କଂଗ୍ରେସ ବିଧାୟକ…..

ଭୁବନେଶ୍ୱର: ଏକ ଦୁର୍ନୀତି ମାମଲାର ବିଚାର କରି କୋର୍ଟ ବିଧାୟକ ମହମ୍ମଦ ମୋକିମଙ୍କୁ ତିନିବର୍ଷ ପାଇଁ ଜେଲ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଏହି ଦଣ୍ଡାଦେଶ ପରେ ମୋକିମଙ୍କ ହାତରୁ ବିଧାୟକ ପଦଟି ଖସିଯିବ କି ରହିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜଣାଯାଇଛି, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଊନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ମହାଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଧାୟକ ମହମ୍ମଦ ମୋକିମ୍‌ । ଓଆରଏଚ୍‌ଡିସି ତକ୍ରାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇ ଜେଲ ଭୋଗୁଥିଲା ବେଳେ ଏବେ ମହମ୍ମଦ ମୋକିମ୍‌ଙ୍କୁ ଜେଲ ଯିବାକୁ ପଡ଼ିବ । ତଳକୋର୍ଟ ରାୟକୁ ଉପରକୋର୍ଟରେ ଚାଲେଞ୍ଜ କରିପାରନ୍ତି ମୋକିମ୍‌ । ମାତ୍ର ଉପରକୋର୍ଟ ତାଙ୍କୁ ଦୋଷମୁକ୍ତ ନକରିବା ପର୍ଯ୍ୟନ୍ତ ତଳକୋର୍ଟଙ୍କ ରାୟ କାଏମ ରହିବ ।

ଉପରକୋର୍ଟ ତଳକୋର୍ଟଙ୍କ ରାୟ ଉପରେ ରହିତାଦେଶ କରିପାରନ୍ତି । ତଳକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରାଗଲେ, ମୋକିମଙ୍କ ବିଧାୟକ ପଦ ସୁରକ୍ଷିତ ରହିବାର ସମ୍ଭାବନା ଅଛି । ଅନ୍ୟଥା ମୋକିମଙ୍କ ହାତରୁ ବିଧାୟକ ପଦ ଖସିଯିବା ଅନିଶ୍ଚିତ ନୁହେଁ । ଏପରି ସ୍ଥିତିରେ ତାଙ୍କ ହାତରୁ ବିଧାୟକ ପଦବୀ ଖସିଯିବାର ଆଶଙ୍କା ଉପୁଜିଛି । ବଡ଼ କଷ୍ଟରେ ବାବୁ ମୋକିମ୍‌ ବିଧାୟକ ହୋଇଛନ୍ତି । ବିଧାୟକ ହେବା ପୂର୍ବରୁ ମୋକିମ୍‌ ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ଥିଲେ ।

ଏକା ମୋକିମ୍‌ ନୁହନ୍ତି, ପୂର୍ବତନ ଆଇଏଏସ୍‌ ବିନୋଦ କୁମାର, କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ରଂଜନ ମହାନ୍ତି, ମେଟ୍ରୋ ବିଲଡର୍ସ, ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପିୟୁଷ ମହାନ୍ତିଙ୍କୁ ମଧ୍ୟ ତିନିବର୍ଷ ଜେଲ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କାର ଜରିମାନା ଆଦାୟ ରାୟ ପ୍ରଦାନ କରିଛନ୍ତି କୋର୍ଟ । ଜରିମାନା ଅନାଦାୟେ ପ୍ରତି ଅପରାଧୀଙ୍କୁ ଆହୁରି ୬ ମାସ ଜେଲ ଭୋଗିବାକୁ ପଡ଼ିବ ।

ପୂର୍ବତନ ଆଇଏଏସ୍‌ ବିନୋଦ କୁମାର ଓଆରଏଚ୍‌ଡିସି ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମେଟ୍ରୋ ବିଲଡର୍ସ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ । ୨୦୦୦ ଜାନୁଆରୀ ୪ ତାରିଖରୁ ୨୦୦୧ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଓଆରଏଚ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ ବିନୋଦ କୁମାର ।

୨୦୦୦ ଜୁନ୍‌ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ଋଣ ବାବଦକୁ ୧୫୦ ଲକ୍ଷ ଟଙ୍କା ପାଇବାର ଅଭିଳାଷ ନେଇ ଓଆର୍‌ଏଚ୍‌ଡିସିରେ ଆବେଦନ କରିଥିଲେ । ଏମ୍‌ଡି ବିନୋଦ କୁମାରଙ୍କ ପରାମର୍ଶ କ୍ରମେ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ରଂଜନ ମହାପାତ୍ର ଋଣ ଆବେଦନ ପତ୍ରକୁ ଯାଂଚ ପରେ ସୁପାରିଶ କରିଥିଲେ । ଫଳରେ ୨୦୦୦ ଜୁଲାଇ ୬ ତାରିଖରୁ ଅଗଷ୍ଟ ୨୮ ତାରିଖ ଭିତରେ ମେଟ୍ରୋ ବିଲଡର୍ସ ତିନୋଟି କିସ୍ତିରେ ଋଣ ଅର୍ଥ ପାଇଥିଲା ।

ପ୍ରଥମ କିସ୍ତିରେ ୧୦୦ ଲକ୍ଷ, ଦ୍ୱିତୀୟ କିସ୍ତିରେ ୩୦ ଓ ତୃତୀୟ କିସ୍ତିରେ ୨୦ ଲକ୍ଷ ଟଙ୍କା ପାଇଥିଲା । ଋଣ ଅନୁମୋଦନ କ୍ଷମତା ବିନୋଦ କୁମାରଙ୍କୁ ଦିଆଯାଇ ନଥିଲା । ସେ କଥା କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ରଂଜନ ମହାପାତ୍ର ଜାଣିଥିଲେ ମଧ୍ୟ ବିନୋଦ କୁମାରଙ୍କ କଥାରେ ପଡ଼ି ମେଟ୍ରୋ ପ୍ରତି ଅନୁକମ୍ପା ଦେଖାଇଥିଲେ ।