ରାଜ୍ୟବାସୀଙ୍କୁ ଜିତିବାର କଳା ଜେପିଙ୍କୁ ଜଣା ନାହିଁ: ଏଜେଡି

ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଏକଜୁଟ୍‌ ହେଉ…..

ଭୁବନେଶ୍ୱର: ‘ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଭିଭାଷଣରେ ସେଭଳି ଦମ୍‌ ନାହିଁ ଯାହା ଓଡ଼ିଶାର ଦୁଇକୋଟି ଲୋକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିବ । ସେମାନଙ୍କ ମନରେ ବିଜେପି ପ୍ରତି ଅନୁରାଗ ସୃଷ୍ଟି କରିପାରିବ । ରାଜ୍ୟର ଦୁଇକୋଟି ଭୋଟରଙ୍କୁ ନବୀନ ପଟ୍ଟନାୟକ ଏଭଳି ଗଦ ଶୁଙ୍ଘାଇ ରଖିଛନ୍ତି ଯେ ରାଜ୍ୟର ଗରିବ ଜନତା, କଲେଜ ପଢୁଆ ଯୁବ ସମାଜ, ଚାକିରି ଆଶାୟୀ ଯୁବ ସମାଜ, ଠିକା ଶିକ୍ଷକ, ଠିକା କର୍ମଚାରୀ, କଳକାରଖାନାରେ କାର୍ଯ୍ୟରତ ଅଣକୁଶଳୀ ଓ ଅସଂଗଠିତ ଶ୍ରମିକ, ଚାଷୀକୁଳ, ଭାଗଚାଷୀ, ଦିନ ମଜୁରିଆ ସମାଜ ଏକପ୍ରକାର ମୋହଗ୍ରସ୍ତ । ଟଙ୍କାକୁ କିଲେ ଚାଉଳ ଓ କାଳିଆ ଟଙ୍କାରେ ଯୋଉ ମହକ, ତାକୁ ଛାଡ଼ି ସୁନେଲି ଭବିଷ୍ୟତ ଗଢ଼ିବାକୁ କିଏ ବା କାହିଁକି ଉଠିବ ।

ଦିବଂଗତ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ପଦୁଟେ କଥା ମନେ ପଡ଼ିଯାଉଛି । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଉପରେ ଏକ ପ୍ରତିକ୍ରିୟା ସେ ରଖିଥିଲେ, ପେଟ୍ରୋଲ ଡିଜେଲ କିଣିବା ପାଇଁ ଯୋଉମାନଙ୍କ ପକେଟ୍‌ରେ ପଇସା ନାହିଁ; ସେମାନେ ଗାଡ଼ିମୋଟର ବାଇକ୍‌ ଚଢ଼ନ୍ତୁ ନାହିଁ । କଥାଟା ମନକୁ ପାଇଲା ବୋଲି ଏବେ ସେହି କଥା କହୁଛି । ରାଜ୍ୟରେ ମାଳମାଳ ସମସ୍ୟା ଥିଲେ ମଧ୍ୟ ରାଜ୍ୟ ବିଧାନସଭାରେ ହାତଗଣତି ବିଜେପି ବିଧାୟକ ଥିଲେ ମଧ୍ୟ କ୍ଷମତାସୀନ ବିଜେଡିକୁ ଅଠାକାଠିରେ ପକାଇ ପାରୁନାହାନ୍ତି । ରାଜ୍ୟର ସମସ୍ୟା ସହିତ ଲୋକଙ୍କୁ ସାମିଲ କରି ପାରୁନାହାନ୍ତି । ବିଜେପି ନିଜର ଅପାରଗପଣିଆ ଘୋଡ଼ାଇବାକୁ ଯାଇ ବିଜେଡିକୁ ଦାୟୀ କଲେ କ’ଣ ହେବ?

ରାଜନୀତି କରିବାର ଦକ୍ଷତା ରାଜ୍ୟ ବିଜେପିର ଗୋଟିଏ ନେତାଙ୍କ ପାଖରେ ଦେଖିବାକୁ ମିଳୁନି । ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ସେଭଳି ତେଜ ଥିଲେ, ରାଜ୍ୟ ବିଜେପିକୁ କୋଉ ଦିନଠାରୁ ଏକତାର ସୂତ୍ରରେ ବାନ୍ଧି ସାରନ୍ତେଣି । ଅପରାଜିତା ଯେତେ ଗର୍ଜନ କଲେ ମଧ୍ୟ ରାଜ୍ୟ ବିଜେପି ତାଙ୍କ ଉପରେ ସେତେଟା ଭରସା କରିପାରୁନି । ଆଗାମୀ ନିର୍ବାଚନରେ ଭାଗନେବା ପୂର୍ବରୁ ରାଜ୍ୟ ବିଜେପିର ସବୁ ଗୋଷ୍ଠୀ ଏକଜୁଟ୍‌ ହେବା ଦରକାର । ତା’ ସହିତ ଛୋଟଛୋଟ ଦଳକୁ ମଧ୍ୟ ସାଦରେ ଗ୍ରହଣ କରିବା ଦରକାର ।

ତା’ ନହେଲେ ନବୀନବାବୁଙ୍କୁ କ୍ଷମତାରୁ ହଟାଇବା ବିଜେପି ପାଇଁ ଦିବାସ୍ୱପ୍ନ ହୋଇ ରହିଯିବ ।’ ଆଜି ବିଜେପିର ସମାବେଶର ପ୍ରତିଟି ଦିଗକୁ ଅନୁଧ୍ୟାନ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆମ ଜନତା ଦଳ ଆବାହକ ସୀତାରାମ ବେହେରା । ସେ କହିଛନ୍ତି, ବିଜେଡିକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପିକୁ ଯୋଉ ରଣନୀତି ଆବଶ୍ୟକ; ସେଭଳି ଦିମାଗ ଆଜିର ବିଜେପି ସମାବେଶରେ ଯୋଗ ଦେଇଥିବା ଜଣେ ନେତାଙ୍କ ପାଖରେ ନାହିଁ । ବିପକ୍ଷକୁ ଯୁଦ୍ଧ ଦେହିଂ ଆହ୍ୱାନ ପୂର୍ବରୁ ପ୍ରଥମେ ଘର ଲୋକଙ୍କ ବିଶ୍ୱାସ ଜିତୁ ବିଜେପି ।

ଏଠାରେ ଜଣାଇ ଦେଉଛୁ, ଗୁରୁବାର ଦଳବଳ ଧରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ପହଂଚିଲେ । ଭୁବନେଶ୍ୱର ଜନତା ମଇଦାନରେ ଶକ୍ତିକେନ୍ଦ୍ର ସମାବେଶର ଆୟୋଜନ କରାଯାଇଥିଲା । ଉକ୍ତ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରାଜ୍ୟର ବିଜେଡି ସରକାରକୁ ସମାଲୋଚନା କଲେ । ନଡ୍ଡା ଏପରି ଢଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି । ତାହାର କିଂଚିତ ପ୍ରଭାବ ରାଜ୍ୟବାସୀଙ୍କ ଉପରେ ପଡ଼ିବନି । ନଡ୍ଡାଙ୍କ ଭାଷଣରେ ବାଡ଼ି ମରିବନି କି ସାପ ମରିବନି । ଅଭିଭାଷଣର କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଇନାହାନ୍ତି । ଖାଲି ଓଡ଼ିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡ଼ି ରହିଛି ।

ଏ ସରକାରକୁ ଉପାଡ଼ି ଫିଙ୍ଗିଦେବାର ସମୟ ଆସିଛି । ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି । ଏଠିକାର ତିନିଜଣ ମନ୍ତ୍ରୀଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି । ଯଦି ମନ୍ତ୍ରୀମାନେ ହତ୍ୟାରେ ସାମିଲ ରହିବେ; ତେବେ ଶାସନ କିପରି ଚାଲିବ? ଏଠାରେ କିଭଳି କୁଶାସନ ଚାଲିଛି ସହଜରେ ଅନୁମେୟ ହେଉଛି । ଏଠି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ରତ୍ନଭଣ୍ଡାର ଚାବି ମିଳିଲାନି ଯୋଉ ଚାବି ମିଳିଲା । ତାହା ଡୁପ୍ଲିକେଟ୍‌ ଚାବି ବୋଲି କୁହାଗଲା । ଅସଲି ଖୋଜିଲା ବେଳକୁ ନକଲି ଚାବି ମିଳୁଛି । ଏଠି ସରକାର ନକଲି ଥିବାରୁ ନକଲି ଚାବି ପାଇଲେ । ଏଭଳି ସରକାରକୁ ଫିଙ୍ଗି ବିଜେପିକୁ ଶାସନକୁ ଆଣନ୍ତୁ । ଏମିତି ନାନା କଥା କହିଲେ ନଡ୍ଡା; ମାତ୍ର କେନ୍ଦ୍ର ବିଜେପି ଠାରୁ ଯୋଉ ମୋଦକ ରାଜ୍ୟବାସୀ ଆଶା କରୁଥିଲେ; ସେଭଳି କିଛି ହେଲାନି ।

ଏମିତି କି ବିଜେପିର ତଳସ୍ତରର ନେତାମାନେ ମଧ୍ୟ ନଡ୍ଡାଙ୍କ ପାଖରେ ସେପରି ଦମ୍‌ ଦେଖି ପାରିଲେନି । ସମାବେଶରୁ ଘରକୁ ଫେରୁଥିବା ବିଜେପି କର୍ମୀମାନେ ରାସ୍ତାକଡ଼ରେ ଗାଡ଼ି ରଖି ପାନ ଦୋକାନ ଓ ଜଳଖିଆ ଦୋକାନ ଆଗରେ ଠିଆହୋଇ ଯୋଉ ଆଲୋଚନା କରୁଥିଲେ, ତା’ର ସାରାଂଶ ଉଦ୍ଧାର କରି ଏ ରିପୋର୍ଟର ଉପସ୍ଥାପନ କରିଛି । ‘ଯୋଉ ନଡ୍ଡା ନିଜ କର୍ମୀଙ୍କ ମନକୁ କିଣିପାରିଲେନି । ସେ ନଡ୍ଡା ଦୁଇକୋଟି ଭୋଟରଙ୍କୁ କିଭଳି ମନାଇପାରିବେ?’