କଂଗ୍ରେସ ଅଧ୍ୟକ୍ଷ ଯିଏ ହୁଅନ୍ତୁ ସୋନିଆଙ୍କ ହାତରେ ରିମୁଟ୍‌

ଦୁଇଟି ଡଙ୍ଗାରେ ଗୋଡ଼ ଦେଇ ଘାଟ ପାଇବେନି ଗେହଲଟ୍‌……

ନୂଆଦିଲ୍ଲୀ:କଂଗ୍ରେସକୁ ଛାଡ଼ିଦେଲେ ସୋନିଆ ଗାନ୍ଧୀ ଦେଶବାସୀଙ୍କ ଦୃଷ୍ଟି ଆଢୁଆଳକୁ ଚାଲିଯିବାର ସମ୍ଭାବନା ରହିଛି । ଖାଲି ସୋନିଆ ଗାନ୍ଧୀ ନୁହନ୍ତି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏପରିକି ଗାନ୍ଧୀ-ନେହୁରୁ ଦାୟାଦକୁ ଦେଶବାସୀ ଭୁଲିଯିବା ଅସମ୍ଭବ ନୁହେଁ । ତେଣୁ କୌଣସି ମତେ କଂଗ୍ରେସକୁ ହାତମୁଠାରେ ରଖି ଦେଶକୁ ଶାସନ କରିବାର ଅଭିଳାଷ ରଖିଛନ୍ତି ସୋନିଆ ଗାନ୍ଧୀ ।

ସୋନିଆଙ୍କର ସବୁଠାରୁ ବଡ଼ ଦୁଃଖର ବିଷୟ ହେଉଛି, ଯୋଉ ଗେହଲଟ୍‌ ଉପରେ ତାଙ୍କର ଅଗାଧ ବିଶ୍ୱାସ ଥିଲା । ଗେହଲଟ୍‌ଙ୍କୁ ଅଧ୍ୟକ୍ଷ ପଦରେ ବସାଇ ସୋନିଆ କଂଗ୍ରେସକୁ ପରିଚାଳନା କରିବାର ଆଶା ରଖିଛନ୍ତି । ସେହି ଗେହଲଟ୍‌ ଏବେ ସୋନିଆଙ୍କୁ ଖେଳାଇବାକୁ ବାହାରିଛନ୍ତି ।

ଗେହଲଟ୍‌ଙ୍କ ଉପରେ ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ହୋଇଛି । ଜଣେ ଅନୁଗତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି । କୌଣସି ପରିସ୍ଥିତିରେ ସଚିନ୍‌ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁନାହାନ୍ତି ସେ । ଗେହଲଟ୍‌ଙ୍କୁ ସମର୍ଥନ କରି ପ୍ରାୟ ୭୦ରୁ ଅଧିକ ବିଧାୟକ ସେମାନଙ୍କର ଇସ୍ତଫା ପତ୍ର ରାଜସ୍ଥାନ ବାଚସ୍ପତିଙ୍କୁ ଦେଇସାରିଛନ୍ତି । ଏପରି ସଂକଟ ସୃଷ୍ଟି କରିବା ପଛରେ ଅଶୋକ ଗେହଲଟ୍‌ଙ୍କୁ ଦାୟୀ କରିଛନ୍ତି ସୋନିଆଙ୍କ ଅନୁଗତ ।

ସୋନିଆ ଗାନ୍ଧୀ ତାଙ୍କର ଜଣେ ଅନୁଗତଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ବସାଇ ପୂର୍ବଭଳି ପତିଆରା ଜମାଇବାକୁ ଚାହାନ୍ତି । ଅଶୋକ ଗେହଲଟ୍‌ଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ଥିଲା । ମାତ୍ର ସଚିନ୍‌ ପାଇଲଟ୍‌ଙ୍କ ପ୍ରତି ଗେହଲଟ୍‌ଙ୍କ ଚିନ୍ତାଧାରା ବଦଳୁ ନଥିବାରୁ ସୋନିଆ ଗାନ୍ଧୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଅଧ୍ୟକ୍ଷ ପଦ ପାଇଁ ଲଢ଼ିବାକୁ ଅନୁମତି ଦେଇ ସୋନିଆ ଜଣାଇବାକୁ ଚାହାନ୍ତି ଯେ ସେ କଂଗ୍ରେସ ବା ଦେଶବାସୀଙ୍କ ଉପରେ ତାଙ୍କର ନିଷ୍ପତିକୁ ଲଦିବାକୁ ଚାହୁଁନାହାନ୍ତି । ମାତ୍ର ଗେହଲଟ୍‌ଙ୍କ ପ୍ରତି ସୋନିଆଙ୍କ ଆଚରଣରୁ ସବୁକିଛି ସ୍ପଷ୍ଟ ଦିଶୁଛି । ଗୁରୁବାର କି ଶୁକ୍ରବାର ସୋନିଆ-ଗେହଲଟ୍‌ ଭେଟ ସମ୍ଭାବନା ରହିଛି । ଇତିମଧ୍ୟରେ କଂଗ୍ରେସର ଆହୁରି ତିନିଜଣ ନେତା ଅଧ୍ୟକ୍ଷ ନିର୍ବାଚନରେ ଭାଗନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

୨୯ ତାରିଖ ଦିନ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ଅନୁପସ୍ଥିତ ଅଛନ୍ତି । ମନୋନୟନ ପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ୩୦ ତାରିଖଟି ଅଛି । ତା’ ପୂର୍ବରୁ ଗେହଲଟ୍‌ ମୀମାଂସା ହୋଇଯିବା ଦରକାର । ତା’ ନହେଲେ ରାଜସ୍ଥାନ ଅଡ଼ୁଆ ବଢ଼ିବା ସୁନିଶ୍ଚିତ । ମୁଖ୍ୟମନ୍ତ୍ରୀ ହେବା ପାଇଁ ବହୁଦିନରୁ ଚାତକ ପରି ଅନାଇ ବସିଛନ୍ତି ସଚିନ୍‌ ପାଇଲଟ୍‌ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ଗେହଲଟ୍‌ ବାଦ୍‌ ପଡ଼ିଲେ, ତାଙ୍କର ମୁଖ୍ୟମନ୍ତ୍ରୀ ଆସନଟି ମଧ୍ୟ ଟଳମଳ ଅବସ୍ଥାକୁ ଚାଲିଯିବ ।

ଖୋଦ୍‌ ସୋନିଆ ଗାନ୍ଧୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଗେହଲଟ୍‌ଙ୍କୁ କହିପାରନ୍ତି । ଏଭଳି ହରଡ଼ଘଣାରେ ପଡ଼ି ଗେହଲଟ୍‌ ନା କଂଗ୍ରେସ ଅଧ୍ୟକ୍ଷ ହୋଇପାରିବେ ନା ମୁଖ୍ୟମନ୍ତ୍ରୀ ହୋଇପାରିବେ । ଅପରପକ୍ଷେ ସୋନିଆଙ୍କ ବିନା କଂଗ୍ରେସର ଗତି ନାହିଁ । ଅଧ୍ୟକ୍ଷ ଯିଏ ହୁଅନ୍ତୁ ନା କାହିଁକି, ସୋନିଆଙ୍କ ହାତରେ ତାଙ୍କର ରିମୁଟ୍‌ ରହିବା ସୁନିଶ୍ଚିତ ।