ବିଏମ୍‌ସି ଜାଣତରେ ରାସ୍ତାକଡ଼ରେ ମାଳମାଳ ମାଂସମାଛ ବେପାରୀ

ରାସ୍ତାକଡ଼ରୁ ମାଛମାଂସ ବେପାରୀଙ୍କୁ ବାରମ୍ବାର ଉଚ୍ଛେଦ କରୁୂଛି….

ଭୁବନେଶ୍ୱର: ରାସ୍ତାକଡ଼ରୁ ମାଛମାଂସ ବେପାରୀଙ୍କୁ ବାରମ୍ବାର ଉଚ୍ଛେଦ କରୁୂଛି ବିଏମ୍‌ସି ସ୍କ୍ୱାଡ୍‌ । ମାତ୍ର କିଛିଦିନର ବ୍ୟବଧାନ ପରେ ପୁଣି ରାସ୍ତାକଡ଼ରେ ବେପାରୀଙ୍କ ଭିଡ଼ । ରାସ୍ତାକଡ଼ରେ କୌଣସି ମାଛମାଂସ ବେପାରୀଙ୍କୁ ବସାଇ ଦିଆଯିବନି ବୋଲି ବିଏମ୍‌ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ନିର୍ଦ୍ଧାରିତ ସ୍ଥାନରେ ମାଂସମାଛ ବିକିବା ପାଇଁ ବିଏମ୍‌ସି ପକ୍ଷରୁ ଦୋକାନ ଘର ନିର୍ମାଣ କରାଯାଇଛି । ମାତ୍ର ଚାହିଦା ମୁତାବକ ଦୋକାନ ଘର ତିଆରି କରାଯାଇ ନଥିବାରୁ ଅଧିକାଂଶ ବେପାରୀ ରାସ୍ତାକଡ଼ରେ ପସରା ମେଲାଇ ବସୁଛନ୍ତି ।

ଫଳରେ ବିଏମ୍‌ସି ଦୋକାନରେ ମାଂସମାଛ ବେପାରୀମାନଙ୍କ ବେପାର ମାନ୍ଦା ହୋଇଛି । ସାଧାରଣ ଲୋକମାନେ ଆମିଷ ହାଟକୁ ଯିବାକୁ ଅନିଚ୍ଛୁକ । ରାସ୍ତାକଡ଼ରୁ ମାଛମାଂସ କିଣିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଗରାଖମାନେ ଯଦି ଆମିଷ ହାଟକୁ ଯିବେନାହିଁ । ବେପାରୀମାନେ କରିବେ କ’ଣ? ଆମିଷ ବେପାରୀମାନେ ରାସ୍ତାକଡ଼ରେ ବସିବା ଫଳରେ ରାସ୍ତାକଡ଼ ଦୁର୍ଗନ୍ଧରେ ଫାଟି ପଡୁଛି । ବିଏମ୍‌ସିର ଅଧିକାଂଶ ସ୍ଥାନରେ ନଳା କାମ ତିଆରି ଚାଲିଛି । ସଂପ୍ରତି ହକି ବିଶ୍ୱକପ୍‌ ପାଇଁ ରାଜଧାନୀକୁ ଆସୁଥିବା ବିଦେଶୀ କ୍ରୀଡ଼ାପ୍ରେମୀ ଓ ପର୍ଯ୍ୟଟକମାନେ ରାସ୍ତାକଡ଼ରେ ମାଛମାଂସ ବିକା ଯାଉଥିବା ଦେଖି ନାକ ଟେକୁଛନ୍ତି । ବିଏମ୍‌ସିର ସବୁ ରାସ୍ତାକଡ଼ରୁ ଆମିଷ ବେପାରୀଙ୍କୁ ହଟାଇ ନିର୍ଦ୍ଧାରିତ ସ୍ଥାନରେ ଥଇଥାନ କରିବାକୁ ଦାବି ହେଉଛି ।