ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ କେହି ଅଟକାଇ ପାରିବେନି

ହାପ୍ରଭୁଙ୍କ ଇଛାହେଲେ ଅଣହିନ୍ଦୁ ପରିବାର ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ…

ପୁରୀ: ‘ମହାପ୍ରଭୁଙ୍କ ଇଛାହେଲେ ଅଣହିନ୍ଦୁ ପରିବାର ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ଓ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିପାରିବେ । ତାଙ୍କ ଇଛାକୁ ଅପମାନ କରିବାର ତାକତ୍‌ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ । ରାଜ୍ୟପାଳ ମହୋଦୟଙ୍କ ଅଭିଳାଷକୁ ମହାପ୍ରଭୁ ଅନୁଧ୍ୟାନ କରି କିଛି ଗୋଟିଏ ବାଟ ଅବଶ୍ୟ ବାହାର କରିବେ । ସେ ପର୍ଯ୍ୟନ୍ତ ଆମମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।’ ଆଜି ଏଭଳି ମନ୍ତବ୍ୟ ପ୍ରକାଶ କରିଛନ୍ତି ଜାତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମହାସଙ୍ଘ (ଏନ୍‌ୟୁବିସି) ନେତା ସୀତାରାମ ବେହେରା ।

ମହାପ୍ରଭୁଙ୍କ ଆଖିରେ ଆଖି ମିଳାଇବାର ସୁଯୋଗ ମିଳୁ ବୋଲି ଓଡ଼ିଶା ରାଜ୍ୟପାଳ କହିବା ପରେ ମହନ୍ତ, ଶ୍ରୀମନ୍ଦିର ସେବାୟତ, ହିନ୍ଦୁ ଶ୍ରଦ୍ଧାଳୁ ଓ ଗଜପତିଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ପରମ୍ପରା ବିରୋଧୀ କହିଛନ୍ତି ମହନ୍ତ, ସେବାୟତ ଓ ଭକ୍ତ ମଣ୍ଡଳୀ । ଅତୀତକୁ ଦେଖିଲେ, ରାଜାରାଜୁଡ଼ାଙ୍କ ଶାସନ ସମୟରେ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଦଳିତ ଓ ଅସବର୍ଣ୍ଣ ଲୋକଙ୍କୁ ବାରଣ କରାଯାଉଥିଲା । ଏପରିକି ସ୍ୱାଧୀନ ଭାରତର ସମ୍ବିଧାନ ମଧ୍ୟ ବେଶ କିଛିବର୍ଷ ଧରି ଶ୍ରୀମନ୍ଦିରରେ ସେବାୟତଙ୍କ ସଂକୀର୍ଣ୍ଣ ମାନସିକତାକୁ ଭେଦ କରିପାରିଲାନି । ମା’ ମହାଲକ୍ଷ୍ମୀଙ୍କ ବିଚାରକୁ ସମ୍ମାନ ଜଣାଇ ଖୋଦ୍‌ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ କାହାକୁ ବାରଣ କରିନାହାନ୍ତି ।
ମହାପ୍ରଭୁଙ୍କ ମାନବ ଲୀଳାକୁ ଭେଦ କରିବାର କଳା କୌଣସି ମହନ୍ତ କି ସେବାୟତଙ୍କୁ ଜଣାନାହିଁ । ଆନନ୍ଦ ବଜାରରେ ଜାତି ଅଜାତି ଛୁଅାଁ ଅଛୁୂଅାଁ ଭେଦଭାବ ନ ଥିଲାବେଳେ ମହନ୍ତ, ସେବାୟତ ଓ ଭକ୍ତମାନେ ଅଣହିନ୍ଦୁଙ୍କ ପ୍ରବେଶକୁ ପରମ୍ପରା ବିରୋଧୀ କହିବା ଏକ ହୀନ ମାନସିକତା । ମହାପ୍ରଭୁଙ୍କ ମନକୁ ପଢ଼ିବା ଆମ ଭଳି ସାଧାରଣ ମଣିଷ ଅକ୍ଷମ । ନିୟମିତ ବହୁ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ମୁତୟନ ପୁଲିସ, ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତ ଓ ହିନ୍ଦୁ ଶ୍ରଦ୍ଧାଳୁମାନେ ସେମାନଙ୍କୁ ଚିହ୍ନି ପାରୁନାହାନ୍ତି । ରାଜ୍ୟପାଳଙ୍କ ଅଭିଳାଷକୁ ମହାପ୍ରଭୁ ନିଶ୍ଚିତ ରୂପେ ରକ୍ଷା କରିବେ ବୋଲି ଆମର ଦୃଢ଼ ବିଶ୍ୱାସ ।