ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଧାୟକ ଦେବୀ ମିଶ୍ରଙ୍କ ୟୁନିଟ-୧ ସ୍ଥିତ ଘରେ ସିବିଆଇ ଟିମ୍ ପକ୍ଷରୁ ଆଜି ରେଡ଼୍ କରାଯାଇଛି। ସି-ସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବରୁ ସେ ସ୍କାନରରେ ଥିବାବେଳେ ଆଜି ତାଙ୍କ ବାସଭବନରେ ଚଢ଼ାଉ କରିଛି ଏହି ତଦନ୍ତକାରୀ ସଂସ୍ଥା। ଘଣ୍ଟାଏ କାଳ ଖୋଳତାଡ଼ କରିବା ପରେ ବହୁ ଡକ୍ୟୁମେଣ୍ଟ ସାଙ୍ଗରେ ଧରି ଫେରିଛି ସିବିଆଇ ଟିମ୍।

ପୂର୍ବରୁ ମଧ୍ୟ ବହୁ ବିଜେଡ଼ି ନେତା ଓ ବିଧାୟକ ଏହି ମାମଲାରେ ଫସି ଜେଲ୍ ଯାଇଛନ୍ତି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏହି ଲିଷ୍ଟରେ ସାମିଲ୍। ମଝିରେ ଦୁଇ ବର୍ଷପାଇଁ ତଦନ୍ତ ଶୀଥିଳ କରିଥିବା ସିବିଆଇ ପୁଣିଥରେ ଫର୍ମକୁ ଫେରିଛି ଆଉ ପ୍ରଥମ ଟାର୍ଗେଟ୍ ବନିଛନ୍ତି ବିଧାୟକ ଦେବୀ ମିଶ୍ର। ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସମ୍ପର୍କରେ ତାଙ୍କୁ ସିବିଆଇ ପଚରାଉଚରା କରିଥିବା ଦେବୀ ମିଶ୍ର କହିଥିବା ବେଳେ ସବୁ ତଥ୍ୟ ବିଭାଗ ପାଖରେ ଥିବା ସେ ଜଣାଇଛନ୍ତି।

‘ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି ସେଥିପାଇଁ ମୋତେ ପଚରା ଉଚରା କରିବାକୁ ଆସିଥିଲେ। ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସମ୍ପର୍କରେ ଯାହା ସବୁ ନିଷ୍ପତ୍ତି ନିଆଯାଇଥିଲା ସବୁ ସରକାରୀ ସ୍ତରରେ। ମନ୍ତ୍ରୀ ଭାବେ ମୋର କିଛି ବ୍ୟକ୍ତିଗତ ନିଷ୍ପତ୍ତି ନଥିଲା। ସମସ୍ତ ତଥ୍ୟ ପର୍ଯ୍ୟଟନ ବିଭାଗ ପାଖରେ ରହିଛି। ମୁଁ ଏବେ କୋଭିଡ଼ ସକାଶେ ହୋମ ଆଇସୋଲେସନରେ ଅଛି। ସିବିଆଇକୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରସ୍ତୁତ ଅଛି’ ବୋଲି ସିବିଆଇ ରେଡ଼ ପରେ ପ୍ରତିକ୍ରିୟା ରଖିଛନ୍ତି ଦେବୀ ମିଶ୍ର।

ସୂଚନାଯୋଗ୍ୟ, ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରାୟ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି। ପ୍ରାୟ ୨୦ ଲକ୍ଷ ଜମାକାରୀଙ୍କୁ କମ୍ପାନୀ ଧୋକା ଦେଇଥିବା ବେଳେ ଅନେକଙ୍କ ପରିବାର ଉଜୁଡ଼ିଯାଇଛି। ୨୦୧୪ ରୁ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଚଳାଇଛି ସିବିଆଇ ଓ ଇଡି। ମାମଲାରେ ବହୁ ବିଜେଡ଼ି ବିଧାୟକ ଓ ନେତାଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ସିବିଆଇ ପକ୍ଷରୁ ଅନେକଙ୍କୁ ଜେରା କରାଯଆଇଥିଲା। ପୂର୍ବରୁ ଶାସକ ଦଳ ତଥା ଦେବୀ ମିଶ୍ରଙ୍କ ଅନ୍ୟତମ ସହଯୋଗୀ ଦିଲ୍ଲୀପ ମିଶ୍ରଙ୍କୁ ଜେରା ସରିଛି।

ନିକଟରେ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ଶୁଭଙ୍କର ନାୟକଙ୍କୁ ସିବିଆଇ ପୁଣିଥରେ ପଚରା ଉଚରା କରିବା ଚର୍ଚ୍ଚା ସୃଷ୍ଟି କରିଥିଲା। ପରେ ସ୍କାନରକୁ ଆସିଥିଲ ତୃତୀୟ ମହଲାର ଛତ୍ରଛାୟା ତଳେ ରହିଆସିଥିବା ଜଣେ ଆପିଏସ ଅଫିସର। ଏହାପରେ ଆହୁରି ଅନେକ ଫସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଜମା ଟଙ୍କା ଫେରିପାଇବା ଆଶାରେ ରହିଛନ୍ତି ଜମାକାରୀ।