ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡିର ଭବାନୀପାଟଣାରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାର ଆଶା ଓ ଭରସା ସାଜିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।
ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ ।
ସମାଜରେ ସବୁଠାରୁ ଅଧିକ ଗରିବ ଓ ଅସହାୟ ଲୋକମାନେ ଏହି ଯୋଜନାରେ ଉପକୃତ ହେବେ। ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ ।
କଳାହାଣ୍ଡି ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପର ବାମ ପାର୍ଶ୍ୱ କେନାଲର କଂକ୍ରିଟ୍ ଲାଇନିଂ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ । ଆଗାମୀ ଦିନରେ ସରକାର ଯିବେ ଲୋକଙ୍କ ପାଖକୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଭବାନୀପାଟଣା ଓ ସମ୍ବଲପୁରରେ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ୬୧୭. ୫୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ଏହି ସବୁ ପ୍ରକଳ୍ପ ଜିଲ୍ଲା ପ୍ରଗତିକୁ ନୂଆ ଦିଗ ଦେବ ।