ରବି ଫସଲ ପାଇଁ ନୂଆଖାଇରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଚାଷୀ ପରିବାରଙ୍କୁ ନୂଆଖାଇରେ ରବି ଫସଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି।

ପବିତ୍ର ନୂଆଁଖାଇ ଅବସରରେ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀର ସମସ୍ୟା ହେଉଛି- ଆମ ସମସ୍ତଙ୍କ ସମସ୍ୟା। ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ। ସାର ସମ୍ପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି। ଏମପିଏସ୍ ଓ ଫସଲ ବୀମା ସମ୍ପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି।

ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ନୟାଗଡ଼ରୁ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ ଯୋଜନା ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କୃଷି ସଚିବ ଏସ୍.କେ ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।