ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ର ଲୋକାର୍ପଣ କରି ମୁଁ ବହୁତ ଖୁସି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ୭ କୋଟି ଟଙ୍କାରେ ସମଲେଶ୍ୱରୀ ମନ୍ଦିରରେ ନିର୍ମିତ ହୋଇଛି ଏହି ଲାଇଟ୍ ଓ ସାଉଣ୍ଡ ସିଷ୍ଟମ୍। ଏହି ପ୍ରକଳ୍ପ ଜରିଆରେ ୪ଟି ଭାଷାରେ ମନ୍ଦିରର ଓ ମା’ ସମଲେଇଙ୍କ ଗାଥା ଜାଣିପାରିବେ ଶ୍ରଦ୍ଧାଳୁ। ଓଡ଼ିଆ, ହିନ୍ଦୀ, ଇଂରାଜୀ ସହ ସମ୍ବଲପୁର ଭାଷାରେ ତଥ୍ୟ ମିଳିବ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସମସ୍ତଙ୍କୁ ନୂଆଖାଇ ଜୁହାର୍ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି- ଶ୍ରଦ୍ଧାଳୁମାନଙ୍କୁ ସ୍ୱତନ୍ତ୍ର ଅନୁଭବ ଦେବା ପାଇଁ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ର ଲୋକାର୍ପଣ କରି ମୁଁ ବହୁତ ଖୁସି। ଏହା ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ସମସ୍ତଙ୍କୁ ପରିଚିତ କରାଇବ। ଏହି ରୂପାନ୍ତରଣ ଦ୍ୱାରା ସ୍ଥାନୀୟ ବାସିନ୍ଦା ସବୁଠୁ ବେଶି ଉପକୃତ ହେବେ।

ସେ ଆହୁରି ମଧ୍ୟ କହିଛନ୍ତି- ନୂଆଖାଇ କେବଳ ପର୍ବ ନୁହେଁ, ଏହା ଆମର ପରିଚୟ। ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟର ପ୍ରାଣ କେନ୍ଦ୍ର ହେଉଛି ସମ୍ବଲପୁର। ସମ୍ବଲପୁରୀ ଭାଷାରେ ମିଠା ଭରି ରହିଛି। ସମ୍ବଲପୁରୀ ନୃତ୍ୟ ଅତି ମନଛୁଆ। ସମ୍ବଲପୁରୀ ଓଡ଼ିଶା ନୁହେଁ ସାରା ଦେଶରେ ପ୍ରସିଦ୍ଧ। ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମ ଦ୍ୱାରା ପର୍ୟ୍ୟଟକ ଇତିହାସ ବିଷୟରେ ଜାଣିପାରିବେ। ଆଜିର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ।