ଚିତ୍ତରଂଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଓ ବକ୍ତୃତାମାଳା ଆଲୋଚନା

ବାଲେଶ୍ୱର, (ଏସ୍‌ ନ୍ୟୁଜ): ସମଗ୍ର ରାଜ୍ୟର ୭୦ଟି ସ୍ଥାନରେ ପ୍ରଫେସର ଚିତ୍ତରଂଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଓ ବକ୍ତୃତାମାଳା ଆଲୋଚନା ତଥା ‘ଆଉ ଏକ ସକାଳ’ ସମ୍ପର୍କରେ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଅଭିଭାଷଣ ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱରର ଶ୍ରୀଅରବିନ୍ଦ ଯୋଗ ମନ୍ଦିର ପରିସରରେ ରାଉରକେଲ ପ୍ରଗତୀ ଉତ୍କଳ ସଂଘ, ଦୀନକୃଷ୍ଣ ସାହିତ୍ୟ ସଂସଦ ଓ ଚିତ୍ତାନୁରାଗୀ ଆନୁକୂଲ୍ୟରେ ଏପରି ଏକ ଆଲୋଚନାସଭା ଅନୁଷ୍ଠିତ ହୋଇ ଯାଇଛି । ଦୀନକୃଷ୍ଣ ସାହିତ୍ୟ ସଂସଦର ସଭାପତି ଇନ୍ଦୁମାଧବ ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ପ୍ରଫେସର ଚିତ୍ତରଂଜନ ଦାସଙ୍କ ଜୀବନ ବିଦ୍ୟାଳୟ ମାନବ ଜାତିର ମାର୍ଗ ଦର୍ଶକ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଅନୁଗୁଳସ୍ଥିତ ଜୀବନ ବିଦ୍ୟାଳୟର ତତ୍‌କଳୀନ ଛାତ୍ର ସୁରେଶ ଚନ୍ଦ୍ର ସେନ୍‌ ଶିକ୍ଷାରେ ଚିନ୍ତା ଚେତନା, ଅଭିବୃଦ୍ଧି ଓ ଭବିଷ୍ୟତ କାର୍ଯ୍ୟପନ୍ଥାର ଏକ ବ୍ୟବସ୍ଥା ଓ ନକ୍ସା ରହିବା ଆବଶ୍ୟକ ବୋଲି କହିବା ସହିତ ଚିତ୍ତରଂଜନ ଦାସଙ୍କ ଜୀବନ ବିଦ୍ୟାଳୟରେ ତାହା ପ୍ରତିଫଳିତ ହୋଇଥିବା କହିଥିଲେ । ସଂସଦର ସଂପାଦକ ଅକ୍ଷୟ କୁମାର ମିଶ୍ର ଗାନ୍ଧିସ୍ମୃତି କମିଟିର ସଭାପତି ସିତାଂଶୁ ସେନାପତି, ଶ୍ରୀଅରବିନ୍ଦ ଯୋଗମନ୍ଦିରର ସଭାପତି ଡ. ଲଳିତ ରଂଜନ ସେନପତି ଆଲୋଚକଭାବେ ଯୋଗ ଦେଇ ଶାନ୍ତିନିକେତନ, ପଣ୍ଡିଚେରୀ, ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ଚିତ୍ତରଂଜନଙ୍କ ବନବିଦ୍ୟାଳୟରେ ପୂର୍ଣ୍ଣାଙ୍ଗ ଶିକ୍ଷା ସମ୍ଭବ ହୋଇପାରୁନଥିବା ସମ୍ପର୍କରେ କହିଥିଲେ । କଳ୍ପତରୁ ପାତ୍ର ସୂଚନା ପ୍ରଦାନ କରିଥିବା ବେଳେ ଡ. ପ୍ରଫୁଲ୍ଲ କୁମାର ଦେ ମଂଚ ଆହ୍ୱାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।