‘ଜେଇ-ନିଟ୍ ଘୁଞ୍ଚାଅ’, ମୋଦିଙ୍କୁ ଫୋନ୍ କଲେ ନବୀନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜେଇ ଓ ନିଟ୍ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

କରୋନା ମହାମାରୀ ଭୟାନକ ସଂକ୍ରମଣ ଧାରା ଜାରି ରଖିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାସହ ଓଡ଼ିଶାର ଅନେକ ସ୍ଥାନରେ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏ ଭିତରେ ସେପ୍ଟେମ୍ବର ୧ ରେ ଆରମ୍ଭ ହେବାକୁ ଥିବା ଜେଇ ଏବଂ ୧୩ ତାରିଖର ନିଟ୍ ପରୀକ୍ଷାକୁ ପରେ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଦୁଇ ଦିନ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏନେଇ ଲେଖିଥିବା ଚିଠି ବାବଦରେ ମଧ୍ୟ ମୋଦିଙ୍କୁ ଅବଗତ କରାଇଛନ୍ତି ନବୀନ। ସୂଚନାଯୋଗ୍ୟ, କୋଭିଡ଼ କଟକଣା ଏବଂ ବନ୍ୟା ପରିସ୍ଥିତି ରାଜ୍ୟର ଅନେକ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାକୁ ପ୍ରଭାବିତ କରିଛି।