ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ମାସ ୨ ତାରିଖରେ ରାଜ୍ୟ ହେରିଟେଜ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା।

ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶୀ ସଙ୍ଗୀତ ୨୦୦୦ ବର୍ଷ ପୁରୁଣା। ଏହାର ନିଜସ୍ୱ ଲିଖିତ ଶାସ୍ତ୍ର ଏବଂ ରାଗ ରହିଛି। ସ୍ୱତନ୍ତ୍ର ତାଳ ସାଙ୍ଗକୁ ନିଆରା ଶବ୍ଦ ସଂଯୋଜନା ଏହାକୁ ହିନ୍ଦୁସ୍ଥାନୀ ଏବଂ କର୍ଣ୍ଣାଟକ ସଙ୍ଗୀତ ଠାରୁ ଅଲଗା ଦର୍ଶାଏ। ଏହା ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇବା ଲାଗି ସମସ୍ତ ଆବଶ୍ୟକତା ପୂରଣ କରୁଛି ଏବଂ ଏଥିରେ ସନ୍ଦେହ ନାହିଁ ବୋଲି ନବୀନ ଲେଖିଛନ୍ତି।

Image

ପୂର୍ବରୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ଏହାର ପ୍ରଚାର ପ୍ରସାର ଲାଗି ରାଜ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର କରାଯାଇଛି। ଓଡ଼ିଶାର ନୃତ୍ୟ, ସଙ୍ଗୀତ ଏବଂ ନାଟକର ପ୍ରୋତ୍ସାହନ ଲାଗି ରାଜ୍ୟରେ ସଙ୍ଗୀତ ନାଟକ ଏକାଡେମୀ, ୧୯୯୯ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଓଡ଼ିଶାରୁ ବହୁ ନାଟ୍ୟକାର, ସ୍ଥପତି, ଚିତ୍ରଶିଳ୍ପୀ ଏବଂ ନୃତ୍ୟଗୁରୁ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। ହେଲେ ଓଡ଼ିଶୀ ସଙ୍ଗୀତକୁ ଏପର୍ଯ୍ୟନ୍ତ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ମିଳିନାହିଁ। ଏଣୁ ଆଉ ବିଳମ୍ବ ନକରି ଓଡ଼ିଶୀ ସଙ୍ଗୀତ (ଉଭୟ ସ୍ୱର ଏବଂ ବାଦ୍ୟ)କୁ ଯଥାଶୀଘ୍ର ଶାସ୍ତ୍ରୀୟ ମାନ୍ୟତା ଦିଆଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି।

Image