ଧୋନି ଫେଲ୍, ଚେନ୍ନାଇକୁ ମିଳିଲା ଦ୍ୱିତୀୟ ହାର

ଦୁବାଇ: ଆଜି ଚେନ୍ନାଇ ସୁପର୍ କିଙ୍ଗ୍ସ(ସିଏସକେ) ଓ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଇଥିଲା ଚଳିତ ଆଇପିଏଲର ସପ୍ତମ ମ୍ୟାଚ୍। ଏଥିରେ ୪୪ ରନ୍ ବ୍ୟବଧାନରେ ଚେନ୍ନାଇକୁ ହରାଇଛି ଶ୍ରେୟାସ ଆୟରଙ୍କ ନେତୃତ୍ୱାଧୀନ ଦିଲ୍ଲୀ।

ପ୍ରଥମେ ଏମଏସ ଧୋନି ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦିଲ୍ଲୀ ପକ୍ଷରୁ ପାଳି ଆରମ୍ଭ କରିବାକୁ ଆସିଥିଲେ ପୃଥ୍ୱୀ ସ ଏବଂ ଶିଖର ଧାୱନ। ୪୩ ବଲରେ ୬୪ ରନର ବଢ଼ିଆ ପାଳି ଖେଳିଥିଲେ ପୃଥ୍ୱୀ। ଏଥିସହ ରିଷଭ ପନ୍ତଙ୍କ ୩୭ ଏବଂ ଧାୱନଙ୍କ ୩୫ ରନ୍ ସାହାଯ୍ୟରେ ଦଳ ଚେନ୍ନାଇ ପାଇଁ ୧୭୫ ରନର ଟାର୍ଗେଟ ରଖିଥିଲା। ଯାହାକୁ ହାସଲ କରିବାରେ ବିଫଳ ହୋଇଛି ଚେନ୍ନାଇ ଟିମ୍।

ଲଗାତାର ଦ୍ୱିତୀୟ ଥର ପାଇଁ ଚେନ୍ନାଇକୁ ହାର ମିଳିଛି। ଦଳ ପକ୍ଷରୁ ଫାଫ୍ ଡୁପ୍ଲେସିସ ସର୍ବାଧିକ ୪୩ ରନ କରିଥିଲେ। ବାକି ଅନ୍ୟ କାହାର ବ୍ୟାଟ ଚାଲିନଥିଲା। ଅଭିଜ୍ଞ ଧୋନି ମଧ୍ୟ ଦିଲ୍ଲୀ ବୋଲରଙ୍କ ଆଗରେ ମଥାନତ କରିଥିଲେ। ଏହା ଦଳର ପ୍ରଶଂସକଙ୍କୁ ବହୁତ ନିରାଶ କରିଛି। ୭ ୱିକେଟ ହରାଇ ମାତ୍ର ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା ସିଏସକେ।

ଦିଲ୍ଲୀ ଲଗାତାର ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛିି। ଯୁବ ଅଧିନାୟକ ଶ୍ରେୟାସ ଆୟର ଆଜି ଆଜି ଅଭିଜ୍ଞ ଧୋନୀଙ୍କୁ ଫେଲ୍ କରିଛନ୍ତି। ଅନ୍ୟପଟେ ଜବରଦସ୍ତ ବ୍ୟାଟିଂ ପାଇଁ ପୃଥ୍ୱୀଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି।