ଦିନକରେ ସର୍ବାଧିକ ୪,୮୩୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ରାଜ୍ୟରେ ଦିନିକିଆ ସର୍ବାଧିକ ୪ ହଜାର ୮୩୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୪୩୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥଲାଭ କରିଛନ୍ତି। ସେହିଭଳି କଟକରୁ ୪୯୬, ପୁରୀରୁ ୧୮୩, ନୂଆପଡ଼ାରୁ ୧୭୯, ବରଗଡ଼ରୁ ୧୪୭, ଝାରସୁଗୁଡ଼ାରୁ ୧୬୭, ଯାଜପୁରରୁ ୧୫୯ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ୩୨୬ ଜଣ ଯବାନ ଓ ଅଧିକାରୀ ସୁସ୍ଥ ହୋଇଛନ୍ତି।

ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ଼ ଯୋଦ୍ଧାଙ୍କ ନିଷ୍ଠା ଏବଂ ତ୍ୟାଗ ଯୋଗୁଁ ଏହି ସଫଳତା ମିଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି। ସେ ଟ୍ୱିଟର ଯୋଗେ ସମସ୍ତଙ୍କୁ ପ୍ରଂଶସା କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର୍ କରିସାରିଛି। ୩୫ ହଜାରରୁ ଉର୍ଦ୍ଧ୍ୱ ଆକ୍ଟିଭ୍ ମାମଲା ରହିଛି।