ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଗଠନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର : ନବୀନ-shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍ ଗଠନ ସହ ବିଜେଡିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ବିଜେଡିର ଆଜି ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଆଉ ଏହି ବୈଠକରେ ହିଁ ପ୍ରସ୍ତୁତ ହୋଇଛି ଦଳର ଭବିଷ୍ୟତ। ସଂଗଠନକୁ ମଜଭୁତ୍ ଓ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରି କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି ନେତା।

ଏହାସହ କାର୍ଯ୍ୟକାରିଣୀ ବୈଠକରେ ସଙ୍ଗଠନକୁ ମଜଭୁତ୍ କରିବା ଉପରେ ବି ଦିଆଯାଇଛି ଗୁରୁତ୍ୱ । ବୈଠକରେ ବିଜେଡି ସୁପ୍ରିମୋ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନେ ନିଜର ଗ୍ରସ୍ତ ସମୟରେ ଜିଲ୍ଲାର ଦଳୀୟ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରି ସେମାନଙ୍କ ଗଠନମୂଳକ ପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି।

ତେବେ ଦଳର ସଭ୍ୟ ସଂଖ୍ୟା ୧ କୋଟିରେ ପହଞ୍ଚିଛି । ଆଗକୁ ଆହୁରି ୫୦, ୧୦୦ ବର୍ଷ ପର୍ଯ୍ୟନ୍ତ ଦଳ କାର୍ଯ୍ୟ କରିବ ବୋଲି ସାଧାରଣ ସଂପାଦକ କହିଥିଲେ । ଷଷ୍ଠଥର ପାଇଁ ଦଳ କେମିତି ଜିତିବ ସେନେଇ ଅଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହ କର୍ମ ଓ ବାକ୍ୟରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି। ସେପଟେ ବିଜେଡି ସମ୍ବିଧାନର ୮ଟି ଆର୍ଟିକିଲ୍ ଓ ୨ କ୍ଲଜ୍‌ରେ ସଂଶୋଧନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏଣିକି ଜିଲ୍ଲା ଓ ରାଜ୍ୟସ୍ତରରେ ପଦାଧିକାରୀଙ୍କ ସଂଖ୍ୟା ବଢ଼ାଯାଇପାରିବ ।

ସେହିଭଳି ମୟୁରଭଞ୍ଜର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଭାବେ ନାମିତ କରାଯିବା ସହ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜକୁ ବିଶ୍ବବିଦ୍ୟାଳୟ କରିବାକୁ ପ୍ରସ୍ତାବକୁ ନେଇ ଖୁସି ଅନୁଭବ କରିଛନ୍ତି ବିଜେଡି ଅଧ୍ୟକ୍ଷ। ଆମ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହିତ ସମସ୍ତ ପ୍ରସ୍ତାବ ଗୁଡିକ ଉପରେ ଗୁରୁତର ସହ ବିଚାର ମଧ୍ୟ କରାଯିବ ।

ସେହିପରି କେନ୍ଦ୍ର ଉପରେ ବର୍ଷିଥିବା ବେଳେ କେନ୍ଦ୍ରୀୟ ଅବହେଳା, ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ, ଧାନର ଏମ୍ଏସ୍ପି ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରସ୍ତାବ କାର୍ଯ୍ୟକାରିଣୀରେ ଅନୁମୋଦନ ଲାଭ କରିଛି । ଏହା ସହ SC-ST ଓ ସଂଖ୍ୟାଲଘୁଙ୍କ ପାଇଁ ଦଳର ନିର୍ବାଚନ ଇସ୍ତାହାର ଯାହା ଥିଲା ତାକୁ ସରକାରୀ ଏଜେଣ୍ଡା ଭାବେ ଗ୍ରହଣ କରିବା, କୋଭିଡ୍ ପରିଚାଳାନରେ ସଫଳତା, ୧୯ ନିର୍ବାଚନ ଓ ପରବର୍ତ୍ତୀ ୪ ଉପନିର୍ବାଚନରେ ସଫଳତା, ସମ୍ବିଧାନ ସଂଶୋଧନ ଭଳି ୯ଟି ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।