ନବୀନଙ୍କ ଗୁହାଳକୁ ଯିବେ କଂଗ୍ରେସିଆ

ଏକା ଶରତ ଖେଳିବେ ୧୪୭ ପ୍ଲସ୍‌ …..

ଭୁବନେଶ୍ୱର: କେନ୍ଦ୍ର କଂଗ୍ରେସରୁ ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମାଙ୍କ ଭଳି ବଳିଷ୍ଠ ଓ ଗରିଷ୍ଠ ଗାନ୍ଧୀ ଅନୁଗତମାନେ ଖସିଗଲେଣି । ସିବିଆଇ ଓ ଇଡି ମାଡ଼ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛଟପଟ । ଆଗାମୀ ଦିନରେ ଆହୁରି ବହୁ କଂଗ୍ରେସ ନେତା ସୋନିଆଙ୍କ ପଛରୁ ହଟିଯିବେ । ରାହୁଲ ଗାନ୍ଧୀଙ୍କ ବିଷୟରେ ଗୁଲାମ ନବୀ ଆଜାଦ ଯାହା କହିଛନ୍ତି; କିଛି ଭୁଲ କହିନାହାନ୍ତି । ରାହୁଲଙ୍କ କାରଣରୁ କଂଗ୍ରେସକୁ ବହୁତ କ୍ଷତି ସହିବାକୁ ପଡ଼ିଛି । ଯୋଉଦିନ ସଂସଦରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁଣ୍ଡାଇବା ପରେ ନିଜ ଆସନକୁ ଫେରିଗଲେ, ଆସନରେ ବସିବା ପରେ ଅନ୍ୟ କଂଗ୍ରେସ ସାଂସଦଙ୍କୁ ଅନାଇ ଆଖି ମାରିଲେ; ସେହିଦିନଠାରୁ କଂଗ୍ରେସର ଗତି ତଳକୁ ଯିବା ଆରମ୍ଭ କଲା ବୋଲି ମୁଁ ଭାବୁଛି । ଆପଣମାନେ ମୋ କଥାରେ ଏକମତ ନା ନାହିଁ ।

ସଂସଦରେ ଗୋଟିଏ ଜାତୀୟ ଦଳର ଗରିମା ପ୍ରତି ଏଭଳି ଅପମାନିତ ଠାଣି ଦଳ ପାଇଁ ବୁମେରାଂ । ରାହୁଲଙ୍କ ପିଲାଳିଆ ନେତୃତ୍ୱକୁ ରାଜ୍ୟର ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ଭଳି ଦକ୍ଷ ବରିଷ୍ଠ ଅଭିଜ୍ଞ ରାଜନେତା ମୁଣ୍ଡପାତି ସମର୍ଥନ କରିବା ବାସ୍ତବିକ ଦୁଃଖଦାୟକ । ଗତ ଦୁଇ ଦୁଇଟି ନିର୍ବାଚନରେ ଗୋଠଖଣ୍ଡିଆ ବା ଦଳଡ଼ିଅାଁଙ୍କ ପ୍ରତି ନବୀନବାବୁ ଯେତିକି ଆଗ୍ରହର ସହ ଆପଣାର କରିଛନ୍ତି । ବିଜେପି ସେପରି ଉଦାରତା ଦେଖାଇନାହିଁ । ଏବେ ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ମୁଖିଆ ସାଜିଛନ୍ତି । ଅତୀତରେ ରାଜୀବ ଗାନ୍ଧୀ ତାଙ୍କୁ କଂଗ୍ରେସ ମୁଖିଆ କରି କ’ଣ ପାଇଥିଲେ । ତା’ର ରିପୋର୍ଟ ବୋଧେ ସୋନିଆ ଗାନ୍ଧୀଙ୍କୁ ମାଲୁମ ନାହିଁ ।

ନିରଞ୍ଜନଙ୍କୁ ସଭାପତି ପଦରୁ ଆଉଟ୍‌ କରି ମ୍ୟାଡାମ୍‌ ସୋନିଆ ଦଳ ପାଇଁ ମହାବିପଦ ଡାକିଛନ୍ତି ବୋଲି ମୁଁ କହିବି ନାହିଁ । ନିରଞ୍ଜନଙ୍କୁ ସଭାପତି ପଦରେ ରଖି ନରସିଂହଙ୍କୁ କୌଣସି ଗୁରୁଦାୟିତ୍ୱ ଦେଇଥିଲେ ବୋଧେ କିଛି ଗୋଟେ ହୋଇଥାନ୍ତା । ଏବେ ଆପଣମାନେ କହିବେ, ମୁଁ ନିରଞ୍ଜନ ଓ ନରସିଂହଙ୍କଠାରୁ କିଛି ସାଉଁଟିଛି; ତେଣୁ ସେ ଦୁହିଁଙ୍କ ଗୁଣ ଗାଉଛି । ମୋଟରୁ ନୁହେଁ । ତା’ ହୋଇଥିଲେ ମୁଁ କେବେ କହି ନଥାନ୍ତି ଯେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ବହୁ ତୁଙ୍ଗ ନେତା ବିଜେଡି ଗୁହାଳରେ ପଶିବେ । ପରିଣାମ ସ୍ୱରୂପ ଏକା ଶରତ ପଟ୍ଟନାୟକ କଂଗ୍ରେସ ପତାକା ଧରି ନିର୍ବାଚନ ବୈତରଣୀରେ ଡଙ୍ଗା ବାହୁଥିବେ ।