ଖେଳିବା ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଉଟ୍‌

ହେମନ୍ତଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା ଉପରେ ରାଜ୍ୟପାଳ କୌଣସି ନିଷ୍ପତି ନେଇନାହାନ୍ତି…..

ରାଂଚି: ନିର୍ବାଚନ ଆୟୋଗଙ୍କ ସୁପାରିଶ ଅନୁସାରେ ରାଜ୍ୟପାଳ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ସଭ୍ୟ ପଦ ରଦ୍ଦ କରିଛନ୍ତି । ଫଳରେ ନୀତୀଶ କୁମାରଙ୍କ ଭଳି ଖେଳ ଖେଳିବାକୁ ହେମନ୍ତ ସୋରେନଙ୍କୁ ସମୟ ମିଳିଲାନି । ଲିଜ ସୂତ୍ରରେ ଖଣି ହାତେଇଥିବା ମାମଲାରେ ନିର୍ବାଚନ ଆୟୋଗ ଏପରି ଆଭିମୁଖ୍ୟ ପୋଷଣ କରିଛନ୍ତି । ରାଜ୍ୟପାଳ ରମେଶ ବ୍ୟାସ ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କ ସହ ପରାମର୍ଶ କରିବା ପରେ ହେମନ୍ତଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରିଛନ୍ତି । ତେବେ ହେମନ୍ତଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା ଉପରେ ରାଜ୍ୟପାଳ କୌଣସି ନିଷ୍ପତି ନେଇନାହାନ୍ତି ।

ତାଜା ଖବର ମୁତାବକ ସୋରେନଙ୍କ ଘରେ ମନ୍ତ୍ରୀ-ବିଧାୟକମାନେ ରୁଣ୍ଡ ହେବା ଆରମ୍ଭ କରିଛନ୍ତି । ଜେଏମ୍‌ଏମ୍‌-ଆରଜେଡି-କଂଗ୍ରେସ ମହାଗଠବନ୍ଧନର ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ ଆଲୋଚନା ଚାଲିବାର ଅଛି । ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍‌ ଓ ବାପା ଶିବୁ ସୋରେନଙ୍କ ଭିତରୁ କେହି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।