ଖୁବଶୀଘ୍ର ସମ୍‌ରେ କୋଭାକ୍ସିନ୍‌ର ମାନବ ପରୀକ୍ଷଣ

ଭୁବନେଶ୍ୱର(ଏସ ନ୍ୟୁଜ): ଆଇସିଏମ୍‌ଆର ଓ ଭାରତ ବାଇଓଟେକ୍‌ର ମିଳିତ ଉଦ୍ୟମରେ କୋଭିଡ-୧୯ ପାଇଁ ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବଶୀଘ୍ର ସମ୍ ହସ୍ପିଟାଲରେ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ରୀୟ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌ ସ୍ୱୀକୃତି ଦେଇଥିବା ବେଳେ ପ୍ରକ୍ରିୟାରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀଙ୍କ ଶରୀରରେ ନୂତନ ଟିକାର ପରୀକ୍ଷଣ କରାଯିବ।

ତେବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଦେଶର ୨୧ଟି ସ୍ବାସ୍ଥ୍ୟାନୁଷ୍ଠାନକୁ ଆଇସିଏମ୍‌ଆର ପକ୍ଷରୁ ଚୟନ କରାଯାଇଛି। ଯେଉଁଥିରେ ରାଜ୍ୟର ଏକମାତ୍ର ସ୍ବାସ୍ଥ୍ୟାନୁଷ୍ଠାନ ଭାବେ ଆଇଏମ୍‌ଏସ ଏଣ୍ଡ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଛି। ସମ୍ ହସ୍ପିଟାଲର ପକ୍ଷରୁ କୁହଜିଛି ଯେ ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଓ ସ୍କ୍ରିନିଂ ପ୍ରକ୍ରିୟାକୁ କୋହଳ କରାଯିବ। ସୁସ୍ଥ ସ୍ୱେଚ୍ଛାସେବୀ ଏହି ପର୍ଯ୍ୟାୟ ପାଇଁ ଚୟନ କରାଯାଇ ପାରିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀମାନଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବାର ଯୋଜନା ରହିଛି। ଟିକା ପ୍ରୟୋଗ କରାଯାଇଥିବା ସ୍ବେଚ୍ଛାସେବୀଙ୍କଠାରେ କୋଭାକ୍ସିନ୍‌ ଟିକା ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯିବ। ମାନବ ପରୀକ୍ଷଣ ନେଇ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିବା ବେଳେ ଇଚ୍ଛୁକ ସ୍ବେଚ୍ଛାସେବୀମାନେ WWW.ptctU.soa.ac ୱେବସାଇଟ୍‌ରେ ନିଜର ପଞ୍ଜୀକରଣ କରିପାରିବେ।