୨୬ରୁ ବିଧାନସଭା ପରିସରରେ କରୋନା ଟେଷ୍ଟିଂ

ଭୁବନେଶ୍ୱର(ଏସ୍ ନ୍ୟୁଜ): ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ସମସ୍ତ ବିଧାୟକ, ଅଧିକାରୀ ଏବଂ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିବା ବେଳେ ୨୬ ତାରିଖରୁ ବିଧାନସଭା ପରିସରରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ଜଣାଇଛନ୍ତି।

ଟେଷ୍ଟିଂ ପ୍ରକ୍ରିୟା ପାଇଁ ବିଧାନସଭା ପରିସରରେ ଟେଣ୍ଟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ଡାକ୍ତରୀ ଟିମ୍ ଏବଂ ଟେଷ୍ଟିଂ କିଟ୍ ବ୍ୟବସ୍ଥା କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ କରାଯିବ ଏବଂ ସମସ୍ତ ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଫେସ୍ ସିଲ୍ଡ, ମାସ୍କ, ହ୍ୟାଣ୍ଡ ଗ୍ଲୋଭ୍ସ, ସାନିଟାଇଜର ଓଡ଼ିଶା ମେଡ଼ିକାଲ୍ କର୍ପୋରେସନ ଯୋଗାଇବ। ଏନେଇ ଚିଠିରେ ବିଏମସି କମିଶନର, ଓଏମସି ଏମଡି ଏବଂ କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ସେପ୍ଟେମ୍ବର ୨୬, ୨୭ ଏବଂ ୨୮ ତାରିଖ ସକାଳ ୭.୩୦ ରୁ ୯.୩୦ ମଧ୍ୟରେ ଏହି ଟେଷ୍ଟିଂ ପ୍ରକ୍ରିୟା ଅନୁଷ୍ଠିତ ହେବ। ବିଧାନସଭା ସଚିବାଳୟର ସମସ୍ତ ଅଫିସର, କର୍ମଚାରୀ ଏବଂ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିରୋଧୀ ଦଳନେତା, ମୁଖ୍ୟ ସଚେତକଙ୍କ କାର୍ଯ୍ୟାଳୟର ସମସ୍ତ ଅଫିସର, କର୍ମଚାରୀଙ୍କର ଏହି ତିନି ଦିନ ମଧ୍ୟରେ ଆରଟି ପିସିଆର ଟେଷ୍ଟ କରାଯିବ। ସେହିଭଳି ୨୭ ଏବଂ ୨୮ ତାରିଖ ଦୁଇ ଦିନ ଧରି ସମସ୍ତ ବିଧାୟକ, ସେମାନଙ୍କ ବ୍ୟକ୍ତିଗତ ସହାୟକ ଏବଂ ଡ୍ରାଇଭରଙ୍କର ସମାନ ଟେଷ୍ଟ କରାଯିବ। ଅଧିବେଶନର ୫ ଦିନ ପରେ ଅର୍ଥାତ୍ ଅକ୍ଟୋବର ୪ ତାରିଖରେ ପୁଣିଥରେ ସମସ୍ତ ବିଧାୟକଙ୍କର ଟେଷ୍ଟ୍ ହେବାକୁ ଥିବାବେଳେ ମଝିରେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରନ୍ତି ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ।

ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାର ଏହା ଚତୁର୍ଥ ଅଧିବେଶନ ହେବାକୁ ଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରତିଷେଧକ ବ୍ୟବସ୍ଥା କରାଯିବ। ଏନେଇ ଗତ ୭ ତାରିଖରେ ବୈଠକ ଡକାଇ ବିସ୍ତୃତ ଆଲୋଚନା କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ବସିବ ବିଧାନସଭାର ମୌସୁମୀ ଅଧିବେଶନ।