ଏଣିକି ରୋଗୀଙ୍କୁ ମେଡିକାଲ ନେବ ବାଇକ ଆମ୍ବୁଲାନ୍ସ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦୁର୍ଗମ ଅଞ୍ଚଳ ପାଇଁ ଆଉ ଅପହଞ୍ଚ ହେବନି ଆମ୍ବୁଲାନ୍ସ ସେବା । ଆମ୍ବୁଲାନ୍ସ ନ ପହଞ୍ଚି ପାରିଲେ ବି ଖଟିଆ, ଭାରାରେ ବୁହା ହେବେନି ଦୁର୍ଗମ ଅଞ୍ଚଳର ରୋଗୀ । ଏଣିକି ଏମାନଙ୍କୁ ତୁରନ୍ତ ମେଡିକାଲ ଆଣିବା ପାଇଁ ପହଞ୍ଚିବ ବାଇକ ଆମ୍ବୁଲାନ୍ସ ।

କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦୀର୍ଘଦିନ ହେବ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଜରୁରୀ ପରିସ୍ଥିତିରେ ଅନେକେ ଦରକାରି ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଥିଲେ । ତେଣୁ ଏହି ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଅନେକ ଦିନରୁ ପ୍ରୟାସ ଚାଲିଆସିଥିଲା। ଏହାରି ଭିତରେ ଗତକାଲି କେନ୍ଦ୍ର ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲାରେ ୮ଟି ବାଇକ ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଯାହା ଅଞ୍ଚଳର ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇବା ସହ ଆମ୍ବୁଲାନ୍ସ ସେବାକୁ ଆହୁରି ସୁଗମ ଓ ସୁବ୍ୟବସ୍ଥିତ କରିବ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏହି ଆମ୍ବୁଲାନ୍ସ ରଖାଯାଇଥିବା ବେଳେ କେଉଁ କେଉଁ ସ୍ଥାନରେ ଏସବୁ ନିୟୋଜିତ କରାଯିବ ସେନେଇ ଶୀଘ୍ର ନିଷ୍ପତ୍ତି ନିଆଯିଆବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ତେବେ କେନ୍ଦ୍ର ସରକାରଙ୍କ ଅନୁଦାନରେ କୋରାପୁଟର ଦୁର୍ଗମ ଅଞ୍ଚଳ ପାଇଁ ଏହି ବାଇକ ଆମ୍ବୁଲାନ୍ସ ଦିଆଯାଇଥିବା ବେଳେ ଚାରିଚକିଆ ଆମ୍ବୁଲାନ୍ସ ଯାଇପାରୁନଥିବା ସବୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳକୁ ଏହା ଯାଇପାରିବ । ଫଳରେ ଅଞ୍ଚଳର ଲୋକେ ରୋଗୀଙ୍କୁ ଆଉ ଖଟିଆ କିମ୍ବା ଭାରରେ ବୋହିକି ଆଣିବେ ନାହିଁ । ଏମାନଙ୍କ ପାଖରେ ତୁରନ୍ତ ବାଇକ ଆମ୍ବୁଲାନ୍ସ ପହଞ୍ଚିବ ଆଉ ରୋଗୀଙ୍କୁ ତୁରନ୍ତ ସେବା ଯୋଗାଇବ ।