ଓଡ଼ିଶାରେ ହେଉଛି କରୋନା ପୁନଃ ସଂକ୍ରମଣ: ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଭୁବନେଶ୍ୱର(ଏସ ନ୍ୟୁଜ ): ଓଡ଼ିଶାରେ କରୋନା ପୁନଃ ସଂକ୍ରମଣ ହେଉଛି। ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ‌ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା।

ସେ କହିଛନ୍ତି, ଓଡ଼ିଶାରେ କରୋନା ପୁନଃ ସଂକ୍ରମଣ ହେଉଛି, କିନ୍ତୁ ବହୁତ କମ୍। ଆଇଏଲ୍‌ଏସ୍‌ରେ କିଛି ବ୍ୟକ୍ତିଙ୍କର ଟେଷ୍ଟିଂ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩/୪ ଜଣଙ୍କ ପୁନଃ ସଂକ୍ରମଣ‌ ହୋଇଛି। ଥରେ ପଜିଟିଭ ହେବା ପରେ ପୁଣି କାହିଁକି ପୁନଃ ସଂକ୍ରମଣ‌ ହେଉଛି, ତା’ର ତର୍ଜମା ଚାଲିଛି।

ତେଣୁ ଲୋକେ ସଚେତନ ହେବା ଦରକାର। ସେ ଆହୁରି କହିଛନ୍ତି ଯେ ଶୀତରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି। ତେଣୁ ସଜାଗ ନରହିଲେ ବଢ଼ିବ। ବର୍ତ୍ତମାନ ସଂକ୍ରମଣ କମିଛି। ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ବଢ଼ିବାର ଆଶଙ୍କା ଥିଲା। କିନ୍ତୁ ଲୋକଙ୍କ ସହଯୋଗ ଯୋଗୁଁ କମିଛି।