ନିଷ୍ଠୁର ବାପା: ୩ ବର୍ଷର ଝିଅକୁ ମାରି ଫିଙ୍ଗିଦେଲା

ନିଷ୍ଠୁର ବାପାର ଅପରାଧକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ମୃତ ନାବାଳିକାର ମା’….

ରାୟପୁର: ‘ବାପା’ ପରି ପବିତ୍ର ଶବ୍ଦକୁ କଳଙ୍କିତ କରିଛି ଜଣେ ବ୍ୟକ୍ତି । ତିନିବର୍ଷ ବୟସର ନିରୀହ ଝିଅଟିକୁ ମାରି ନଦୀକୁ ଫିଙ୍ଗିଦେଇଛି ନିଷ୍ଠୁର ବାପା । ଅପରାଧରୁ ବଂଚିବା ପାଇଁ ଥାନାରେ ପହଂଚି ଝିଅଟିର ଅପହରଣ ଅଭିଯୋଗ କରିଛି । ନିଷ୍ଠୁର ବାପାର ଅପରାଧକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ମୃତ ନାବାଳିକାର ମା’ । ପୁଲିସ ଘଟଣାର ତଦନ୍ତ କରି ଦୁଇ ପତିପତ୍ନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଛତିଶଗଡ଼ର ମେନପାଟ୍‌ ଅଂଚଳରେ ଘଟଣାଟି ଘଟିଛି ।

ହତ୍ୟାକାରୀ ବାପା ପ୍ରମୋଦ ମାଂଝୀ ଅଗଷ୍ଟ ୧୫ ତାରିଖ ରାତିରେ ଘରେ ସ୍ତ୍ରୀ ଓ ଝିଅ ସହିତ ଶୋଇଥିଲା ବେଳେ ପିଲାଟି ବାରମ୍ବାର କାନ୍ଦିଥିଲା । ବାସ୍‌, ସେତିକିରେ କ୍ରୋଧାନ୍ଧ ପ୍ରମୋଦ ଝିଅଟିର ନାକକୁ ଶକ୍ତ ମୁଥାଟିଏ ମାରିଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ଝିଅଟି ମରିଗଲା । ସ୍ୱାମୀ-ସ୍ତ୍ରୀ ଦୁହେଁ ଚିନ୍ତାରେ ବସିପଡ଼ିଲେ । ଜେଲ ଯିବା ଭୟରେ ଝିଅଟିର ଅପହରଣ କାହାଣୀ ରଚିବା ସହିତ ମୃତଦେହକୁ ଘୁନଘୁଟ୍ଟା ନଦୀକୁ ଫୋପାଡ଼ି ଦେଇଥିଲା ।

ଅଭିଯୁକ୍ତ ପ୍ରମୋଦ କମଲେଶ୍ୱରପୁର ଥାନାରେ ପହଂଚି ଅଭିଯୋଗ କରିଥିଲା ଯେ ରାତିରେ ସେମାନେ ଶୋଇଥିଲା ବେଳେ କେହି ତାଙ୍କର ତିନିବର୍ଷର ଝିଅଟିକୁ ଅପହରଣ କରି ନେଇଯାଇଛି । ପୁଲିସ ଗାଁରେ ପହଂଚି ଝିଅଟିର ବାପା-ମା, ପଡେ଼ାଶୀଙ୍କ ବୟାନ ଶୁଣିଥିଲା । ଝିଅଟିର ବାପା-ମା’ଙ୍କ କଥା ଉପରେ ପୁଲିସର ସନ୍ଦେହ ହୋଇଥିଲା । ପୁଲିସ ପ୍ରମୋଦ ଓ ତାଙ୍କ ସ୍ତ୍ରୀକୁ ଥାନାକୁ ନେଇ ଚଢ଼ାଗଳାରେ ଜେରା କରିବା ପରେ ସବୁ ତଥ୍ୟ ସାମ୍ନାକୁ ଆସିଥିଲା ।