ଶିକ୍ଷକ ବିଷ୍ଣୁ ପ୍ରସାଦ ପାଢ଼ୀଙ୍କୁ ଉମାଦେବୀ ସ୍ମୃତି ସମ୍ମାନ

କଟକ: ସାମାଜିକ ସଙ୍ଗଠନ ଆମ ସମ୍ବଳର ଦ୍ୱିତୀୟ ସନକ୍ଷତ୍ର ଉତ୍ସବ ଗୁରୁବାର ସନ୍ଧ୍ୟାରେ ଗାନ୍ଧୀଭବନରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅର୍ଥପରାମର୍ଶଦାତା ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ମହାପାତ୍ର, ସମ୍ମାନିତ ବକ୍ତାଭାବେ ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଭିକାରୀ ଚରଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା କର୍ପୋରେଟର ଗଗନ ଓଝା ଏବଂ ବରିଷ୍ଠ ଆଇନଜୀବୀ ସୌଭାଗ୍ୟ ସୁନ୍ଦର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଶିକ୍ଷା ତଥା ପରିବେଶ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅନ୍ତର୍ଗତ ଗେଡମା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ପାଢ଼ୀ ଏବଂ ସମାଜସେବା କ୍ଷେତ୍ରରେ ସନ୍ଧ୍ୟାରାଣୀ ଦଳେଇଙ୍କୁ ଉମାଦେବୀ ସ୍ମୃତି ସମ୍ମାନ-୨୦୨୩, ସ୍ୱାସ୍ଥ୍ୟ କ୍ଷେତ୍ରରେ ଶ୍ରୀରାମ ଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟର ବରିଷ୍ଠ ଚିକିତ୍ସକ ଡା. ମାସୁଦ ଅଲ୍ଲୀ ଖାଁଙ୍କୁ ସୁଧାକର ସ୍ମୃତି ସମ୍ମାନ ଏବଂ ସାମ୍ବାଦିକତା କ୍ଷେତ୍ରରେ ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ସାମ୍ବାଦିକ ପ୍ରଦୀପ କୁମାର ସାହୁଙ୍କୁ ନାରଦ ସମ୍ବଳ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ମୁଖପତ୍ର ଆମ କଥା ଉନ୍ମୋଚନ କରିଥିଲେ ।

ସେହିପରି ଅନୁଷ୍ଠାନ ତରଫରୁ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ମହାରାଣୀ ସାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉପ ସଭାପତି ବିକ୍ରମ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ମାନସ ରଂଜନ ପରିଡ଼ା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।

ପ୍ରଫେସର ଆଲୋକେଶ ରାୟ ଆମ କଥା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଗୀତାଞ୍ଜଳି ମିଶ୍ର, ପ୍ରଭାସିନୀ ଜେନା, ସୁସ୍ମିତା ମହାନ୍ତି ଏବଂ ଦେବେନ୍ଦ୍ର ମୋହନ ଗମାଙ୍ଗ ପ୍ରମୁଖ ମାନପତ୍ର ପାଠ କରିଥିଲେ । ପୁଷ୍ପାଙ୍କ ବାନାର୍ଜୀ, ଆଇନଜୀବୀ ଶୁଭାଶିଷ ମହାନ୍ତି, ସୋମନାଥ ରାଉତ, ମହାଶିଷ ପ୍ରସାଦ, ରମାକାନ୍ତ ଦାସ, ମନ୍ମଥ ସାହୁ, ଜ୍ୟୋତିଷ ବେହେରା, ବିଜୟ କୁମାର ବେହେରା, ଶୁଭ୍ରାନ୍ତ ଦାସ, ଲକ୍ଷ୍ମୀଧର ଦାସ, ବିଚିତ୍ରାନନ୍ଦ ବେହେରା, ରାଜା ସ୍ୱାଇଁ, ବିନିତା ନନ୍ଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ । ଭାଗ୍ୟଶ୍ରୀ ଗମାଙ୍ଗ, ଶକ୍ତିସରୂପା ସିଂହ ସାମନ୍ତ ଏବଂ ବିଶ୍ୱରୂପା ସିଂହ ସାମନ୍ତ, ପିୟାଲି ମିଶ୍ର, ଶ୍ରାବଣୀ ଶୁଭଦର୍ଶିନୀ ବିଶୋଇ, ଦିବ୍ୟଲକ୍ଷ୍ମୀ ଜେନା, ଶୁଭଲକ୍ଷ୍ମୀ ଜେନା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ପୁଷ୍ପାଙ୍କ ବାନାର୍ଜି ଧନ୍ୟବାଦ ଅର୍ପଣ କରିଥିଲେ ।