ଆଜି ସନ୍ଧ୍ୟା ୫ଟାରୁ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ସୁନିଆଁ ସହ ବାମନ ଜନ୍ମ ନୀତି ପାଳନ ହେଉଛି। ଏହାସହ ପବିତ୍ରା ଲାଗି, ଇନ୍ଦ୍ରଧ୍ବଜା ପୂଜା ଓ ଗରୁଡ଼ଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ତେଣୁ ସାଧାରଣ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶୟନ ଯାଇଥିବା ମହାପ୍ରଭୁ ମଙ୍ଗଳବାର ଭାଦ୍ରବ ଶୁକ୍କ ଏକାଦଶୀ ତିଥିରେ ପାର୍ଶ୍ବ ପରିବର୍ତ୍ତନ କରିଛନ୍ତି। ଦୁଇ ମାସ ଧରି ଦକ୍ଷିଣମୁହାଁ ହୋଇ ଶୋଇ ରହିଥିବା ମହାପ୍ରଭୁ ମଙ୍ଗଳବାର କଡ଼ ଲେଉଟାଇ ଉତ୍ତରମୁହାଁ ହୋଇ ଶୋଇଛନ୍ତି। ଶ୍ରୀମନ୍ଦିରରେ ପବିତ୍ର‌ା(ପଇତା) ଅଧିବାସ ନୀତି ବି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ  ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।