ମିସ୍ତ୍ରୀଙ୍କ ମୃତ୍ୟୁରୁ ଟଙ୍କା ରୋଜଗାର ବାଟ

ପଛସିଟ୍‌ ବେଲ୍ଟ ନ ବାନ୍ଧିଲେ ଜୋରିମାନା

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ବ୍ୟବସାୟୀ ସାଇରସ୍‌ ମିସ୍ତ୍ରୀଙ୍କର ପ୍ରାଣ ଚାଲିଗଲା ସିନା; ମାତ୍ର ତାଙ୍କର ମୃତ୍ୟୁଜନିତ ରିପୋର୍ଟରୁ କେନ୍ଦ୍ର ସରକାର ଏକ ମହାଶିକ୍ଷା ଲାଭ କରିଛନ୍ତି । ସରକାର ଅନୁଭବ କରିଛନ୍ତି ଯେ ସଡ଼କ ଦୁର୍ଘଟଣାରେ ପଛସିଟ୍‌ରେ ବସିଥିବା ଯାତ୍ରୀଙ୍କ ଜୀବନ ମଧ୍ୟ ଚାଲି ଯାଇପାରେ । ତେଣୁ ପଛସିଟ୍‌ର ଯାତ୍ରୀ ସିଟ୍‌ ବେଲ୍ଟ ବାନ୍ଧିବାକୁ ବାଧ୍ୟ ନଚେତ ପୁଲିସକୁ ଜୋରିମାନା ଗଣିବାକୁ ବାଧ୍ୟ ରହିବେ । ଏହା ପୂର୍ବରୁ ଗାଡ଼ିର ଆଗସିଟ୍‌ରେ ବସିଥିବା ଚାଳକ ଓ ଆରୋହୀଙ୍କୁ ସିଟ୍‌ ବେଲ୍ଟ ବାନ୍ଧିବା ପାଇଁ ତାଗିଦ କରାଯାଉଥିଲା ।

ମିସ୍ତ୍ରୀ ଗାଡ଼ିର ପଛସିଟ୍‌ରେ ବସିଥିଲେ ମଧ୍ୟ ସିଟ୍‌ବେଲ୍ଟ ଲଗାଇ ନଥିବାରୁ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । କ୍ଷଣିକ ଭିତରେ ସେ ଗାଡ଼ି ଭିତରେ ଏପରି ଛିଟିକି ପଡ଼ିଲେ ଯେ ତାଙ୍କ ମୁଣ୍ଡଟି ଶକ୍ତ ଭାବରେ ଆଗସିଟ୍‌ର ପଛଭାଗରେ ବାଜିଲା । ଶରୀର ଭିତରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଏକପ୍ରକାର ଛନ୍ଦି ହୋଇଗଲା । ଯନ୍ତ୍ରଣାରେ ଛଟପଟ ହେବାର ସୁଯୋଗ ପାଇଲେନି ମିସ୍ତ୍ରୀ । ଚଟ୍‌ କରି ପ୍ରାଣବାୟୁ ଏପରି ଚାଲିଗଲା, ଦେଖଣାହାରୀଙ୍କୁ ଭାବିବାକୁ ସମୟ ମିଳିଲାନି ।
ବୁଧବାର କେନ୍ଦ୍ର ସଡ଼କ ପରିବହନ ଓ ଗମନାଗମନ ମନ୍ତ୍ରୀ ନୀତୀନ ଗଡ଼କରି କଡ଼ା ଆଦେଶନାମା ଜାରି କରି କହିଛନ୍ତି, ଏଣିକି ପଛସିଟ୍‌ ଯାତ୍ରୀ ବେଲ୍ଟ ନ ବାନ୍ଧିଲେ, ଜୋରିମାନା କଟାଯିବ । ଲୋକମାନଙ୍କର ସୁରକ୍ଷିତ ଯାତ୍ରା ପ୍ରତି କେନ୍ଦ୍ର ସରକାର ଯଥେଷ୍ଟ ସଚେତନ । ମିସ୍ତ୍ରୀଙ୍କ ମୃତ୍ୟୁରୁ କେନ୍ଦ୍ର ସରକାର ଟଙ୍କା ରୋଜଗାର କରିବାର ବାଟ ପାଇଲେ ।