କୁଖ୍ୟାତ ଅପରାଧୀଙ୍କୁ ଧରିବ ଅସରପା

ବିପନ୍ନଙ୍କୁ ଉଦ୍ଧାର କରିବ ଯାନ୍ତ୍ରିକ କୀଟ

ସମୟ ତାଳରେ ପାଦ ମିଳାଇ ବୈଷୟିକ ଜ୍ଞାନକୌଶଳ କ୍ରମେ…..

ନୂଆଦିଲ୍ଲୀ: ସମୟ ତାଳରେ ପାଦ ମିଳାଇ ବୈଷୟିକ ଜ୍ଞାନକୌଶଳ କ୍ରମେ ପ୍ରସାରିତ ହେଉଛି । ତଦନୁସାରେ ବଦଳିଯାଉଛି ଲୋକଙ୍କ ଜୀବନଶୈଳୀ । ବୈଜ୍ଞାନିକ ଗୋଷ୍ଠୀ ଏକ ଯାନ୍ତ୍ରିକ ଅସରପା ତିଆରି କରିଛନ୍ତି ଯାହା ଦେଖିବାକୁ ଅବିକଳ ଅସରପା ଆକୃତିର; ମାତ୍ର ତା’ର କାମ ଦକ୍ଷ ଗୋଇନ୍ଦା ଭଳି । ସାଇବର୍ଗ ନାମକ ଯାନ୍ତ୍ରିକ ପୋକଟି ସହରାଂଚଳ ଗଛଲଟାରେ ସାଧାରଣ ପୋକ ଭଳି ଲଟକି ରହିବ । ଅମାନିଆ ଯୁବକ ଯୁବତୀ, କୁଖ୍ୟାତ ଅପରାଧୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବ । ପୁଲିସର ତଦନ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ଗବେଷଣାଗାରରେ ତିଆରି ଅସରପା ଏବେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ।

ଯାନ୍ତ୍ରିକ ଅସରପାକୁ ପରିବେଶର ସ୍ୱଚ୍ଛତା ପରୀକ୍ଷା ଦେବାକୁ ପଡ଼ିବ । ଅପରାଧିକ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ରଖିବାକୁ ପଡ଼ିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କ ଉପସ୍ଥିତି ଅନୁଧ୍ୟାନ କରି ଉଦ୍ଧାରକାରୀ ଟିମକୁ ଅବଗତ କରିବ । ଅସରପାଟିକୁ ରିମୁଟ୍‌ ସହାୟତାରେ ନିୟନ୍ତ୍ରଣ କରାଯାଉଛି । ଆଗାମୀ ଦିନରେ ସବୁଜ ବନାନୀ ଅବା ଘଂଚ ଜଙ୍ଗଲ; ଜନବହୁଳ ସହର ହେଉ ବା ନିକାଂଚନ ଗାଁଗଣ୍ଡା; ବିଭିନ୍ନ ଆକୃତିର ବୈଦୁତିକ କୀଟ ତିଆରି କରାଯାଇ ଜୀବଜନ୍ତୁ ସମେତ କୁଖ୍ୟାତ ଆତଙ୍କୀଙ୍କ ଗତିବିଧି ଓ କାର୍ଯ୍ୟକଳାପ ସଂପର୍କୀତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯିବ ।

ଅସରପାଟିକୁ ତିଆରି କରିଛନ୍ତି ସେଂଟର ଫର୍‌ ଏମର୍ଜେଂଟ ମ୍ୟାଟର ସାଇନ୍ସର ବୈଜ୍ଞାନିକ ଗୋଷ୍ଠୀ । ବୈଜ୍ଞାନିକ ଗୋଷ୍ଠୀ କମ୍‌ ବିଜୁଳିଶକ୍ତିରେ କାର୍ଯ୍ୟକ୍ଷମ ସେମି କଣ୍ଡକ୍ଟର ବ୍ୟବହାର କରି କୃତ୍ରିମ ଅସରପା ପ୍ରସ୍ତୁତ କରିଛନ୍ତି । ଯାନ୍ତ୍ରିକ ଅସରପାଟି ତା’ ଡେଣାରେ ଲାଗିଥିବା ଅଲ୍‌ଟ୍ରାଥିନ୍‌ ସୋଲାର ସେଲରୁ ଶକ୍ତି ସଂଗ୍ରହ କରି ମାଲିକର ନିର୍ଦ୍ଦେଶ ମୁତାବକ କାମ କରିବ ।