ଇଏ ବି ଗୋଟିଏ ପରୀକ୍ଷା: ନୀଳ ଆକାଶ ତଳେ ଶୋଉଛନ୍ତି ଶ୍ରଦ୍ଧାଳୁ

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଶୀତକାକର ଓ ଖୋଲା ଆକାଶ ତଳେ ଶୋଉଛନ୍ତି ଶତାଧିକ ଶ୍ରଦ୍ଧାଳୁ । ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ସମାଧି ନେଇଛନ୍ତି ମେଘନାଦ ପାଚେରୀ ଚାରିକଡେ ରହିଥିବା ମଠବାଡ଼ି । ବିଜୁ ପଟ୍ଟନାୟକଙ୍କ ଯୋଗ୍ୟପୁଅ ଭାବି ପ୍ରାୟ ତିନିକୋଟି ଭୋଟର ଯାହାକୁ ମୁଣ୍ଡରେ ବସାଇଲେ । ତାଙ୍କରି ଦୟାରୁ ଶୋଇଯାଇଛି ବହୁ ମଠବାଡ଼ି ଓ ଧର୍ମଶାଳା । ଶ୍ରୀକ୍ଷେତ୍ରକୁ ଧାଇଁ ଆସୁଥିବା ଲୋକମାନେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରି ନପାରିଲେ, ସେହି ମଠବାଡ଼ି ଅବା ଧର୍ମଶାଳାରେ ରାତି କଟାଇ ଦିଅନ୍ତି । ରାତି ପାହିଲେ ଆପଣା ଘରକୁ ଚାଲିଯାନ୍ତି । ମାତ୍ର ଆଉ ସେ ସୁବିଧା ନାହିଁ । ସେଦିନର ମଠବାଡ଼ି ଓ ଧର୍ମଶାଳା ସ୍ଥାନରେ ଠିଆ ହୋଇଛି ପରିକ୍ରମା ପ୍ରକଳ୍ପ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜ୍ଞାକୁ କିଏ ବା ଅବଜ୍ଞା କରିବ? କଥାରେ ଅଛି, ବୟସ ୭୦ ଟପିଲେ ବୃଦ୍ଧ-ବାଳୁତ ସବୁ ସମାନ । ରାଜ୍ୟର ତିନିକୋଟି ଭୋଟର ସେତିକି ବୁଝି ପାରିଲେନି । ୭୦କୁ ୨୭ ଭାବି ନବୀନ ପଟ୍ଟନାୟକଙ୍କୁ ଗୁରୁଦାୟିତ୍ୱ ଦେେଇ । ଯେମିତି ଦିଅଁକୁ ସେମିତି ପୂଜାରୀ ।

ପରିଣାମ ସ୍ୱରୂପ, ଆଜି ବଡଦାଣ୍ଡର ରୂପ ବଦଳିଛି । ଶ୍ରଦ୍ଧାଳୁମାନେ ଦୋକାନ ବାରଣ୍ଡା, ସିଂହଦ୍ୱାର ବ୍ୟାରିକେଡ୍‌, ଖୋଲା ଆକାଶତଳେ ପିଲାଛୁଆଙ୍କୁ ଧରି ରାତି କଟାଉଛନ୍ତି । ତା’ରି ଭିତରେ ରାତି ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ, ଶ୍ରୀକ୍ଷେତ୍ରର ଉତୁପାତିଆ ସେବାୟତଙ୍କ ଗାଳିଫଜିତ ମଧ୍ୟ ଶୁଣିବାକୁ ପଡୁଛି ।
କାଳିଆରେ, ୟେ ତୁମର କି ପରୀକ୍ଷା? ଭଲ ଭାବି ଭୋଟ ଦେଲୁ । ଖୋଲା ଆକାଶ ତଳେ ପଡ଼ିଲୁ । କ’ଣ କରିବୁ? ଆପଣା ହସ୍ତେ ଜିଭ କାଟି, କେ ଅଛି ତା’ର ପ୍ରତିବାଦୀ ।