ଦେହବେପାର ଚଳାଇଥିବା କଲେଜର ମାଲିକ କିଏ?

ମା’ ସରସ୍ୱତୀଙ୍କ ପୀଠରେ ଦେହବେପାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗେଇ ନେଉଥିବା ବିଜେଡି ନେତାଙ୍କ ସହିତ ଜଡ଼ିତ ବିଦ୍ୟାଳୟ ଓ କଲେଜରେ ନାନା କେଳେଙ୍କାରୀ ସାମ୍ନାକୁ ଆସୁଛି । ମମିତା ମେହେର ହତ୍ୟା ମାମଲାରେ କ୍ୟାପଟେନ୍‌ ଦିବ୍ୟଶଙ୍କରଙ୍କ ବିବାଦୀୟ ଭୂମିକା ନବୀନଙ୍କୁ ଅଧିକ ଲୋକପ୍ରିୟତା କରିଛି । ଏବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଂଚଳରେ ଅବସ୍ଥିତ ଗୋଟିଏ ଶିକ୍ଷାନୁଷ୍ଠାନରେ ଦିନରେ ପାଠପଢ଼ା ଓ ରାତିରେ ଦେହବେପାର ଚାଲିଥିବା ଖବର ସାମ୍ନାକୁ ଆସିଛି । ଶିକ୍ଷାନୁଷ୍ଠାନର ରାତି ଜଗୁଆଳିଙ୍କ ଜାଣତରେ ଦେହଧନ୍ଦା ଚାଲୁଥିଲା ବୋଲି ପୁଲିସ କହିଛି । କିନ୍ତୁ ରାତି ଜଗୁଆଳି ନିକଟରେ ଏତେ ସାହସ ଆସିଲା କୋଉଠୁ ବୋଲି କିଛି ଗଣମାଧ୍ୟମ ମନକୁ ମନ ପ୍ରଶ୍ନ୍‌ କରୁଛନ୍ତି । ଶିକ୍ଷାନୁଷ୍ଠାନ ମାଲିକଙ୍କ ଅଜାଣତରେ ରାତି ଜଗୁଆଳି ଏଭଳି ଦୁଃସାହସ କରିଥିବ ବୋଲି ଅଧିକାଂଶ ଲୋକ ମାନିବାକୁ ନାରାଜ ।

ବିଜେଡିର ଜଣେ ଟାଣୁଆ ନେତାଙ୍କ ଜାଣତରେ ଉକ୍ତ ଶିକ୍ଷାନୁଷ୍ଠାନରେ ଦେହ ବେପାର ଚାଲୁଥିଲା ବୋଲି ପାଖାପାଖି ଅଂଚଳର କିଛି ଲୋକଙ୍କଠାରୁ ଶୁଣିବାକୁ ମିଳୁଛି । କଥାଟା କେତେ ସତ, ତଦନ୍ତ କଲେ ଜଣାପଡ଼ିବ ।

ରବିବାର ରାତିରେ ପାଟଣାଗଡ଼ ଥାନା ପୁଲିସ ସଂପୃକ୍ତ ଶିକ୍ଷାନୁଷ୍ଠାନ ଉପରେ ଚଢ଼ଉ କରି ଅଭିଯୁକ୍ତ ରାତି ଜଗୁଆଳି ଓ ଜଣେ ଯୁବତୀଙ୍କୁ ଗିରଫ କରିଛି । କଲେଜରୁ ଦୁଇଟି ବାଇକ୍‌ ଓ ସନ୍ଦେହଜନକ ସାମଗ୍ରୀ ଜବତ କରିଛି । ପୁଲିସ ହାତରୁ ଗରାଖମାନେ କେମିତି ଖସି ପଳାଇଲେ, ତାହା ଅନେକଙ୍କୁ ବିସ୍ମିତ କରିଛି ।