ଏଣିକି ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର’୧୧୨’ -shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ): ଏଣିକି ପୋଲିସ ବିଭାଗର ପ୍ରତ୍ୟେକ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨କୁ କାର୍ଯ୍ୟକାରୀ କରାଯାଇଛି । ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ପୂର୍ବରୁ ବିଭିନ୍ନ ପ୍ରକାର ସେବା ପାଇଁ ଅଲଗା ଅଲଗା ନମ୍ବର ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିୟମକୁ କାର୍ଯ୍ୟକାରୀ କରିଛନ୍ତି । ଏଥିସହ ତୁରନ୍ତ ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ୧୦୯୮ଟି ପଦବୀକୁ ମଞ୍ଜୁର କରିଛନ୍ତି ।

ତେବେ ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି । ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି। ୧୧୨ ସେବା ପାଇଁ ୪-ଡି.ଏସ୍.ପି, ୧୫୧-ସବ୍ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ ।

ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।