ଜମାକାରୀଙ୍କୁ ଟଙ୍କାଟିଏ ଦବୁନି: ନବୀନବାବୁ

ସିବିଆଇକୁ କାଟୁନି ସୁପ୍ରିମକୋର୍ଟଙ୍କ ମଧୁର ଗାଳି

ନୂଆଦିଲ୍ଲୀ: ଖଟିଖିଆଙ୍କୁ ସ୍ୱପ୍ନର ଜାଲରେ ଫସାଇ କୋଟିକୋଟି ଟଙ୍କା ଲୁଟି ନେଇଥିବା ଚିଟ୍‌ଫଣ୍ଡ୍‌ ସଂସ୍ଥା ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଶିଥିଳ ପଡ଼ିଯିବାରୁ ଆଜି ସୁପ୍ରିମକୋର୍ଟରେ ସିବିଆଇ ଓକିଲଙ୍କୁ ପ୍ରବଳ ଗାଳି ଶୁଣିବାକୁ ପଡ଼ିଛି । ସିବିଆଇର ଧିମା କାର୍ଯ୍ୟାନୁଷ୍ଠାନ ପଛରେ ବିଜେପିର ହାତ ଥିବା କୁହାଯାଉଛି । ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଦଳର ତୁଙ୍ଗନେତାଙ୍କ ଅଭୟ ପାଇ ବହୁ ଠକସଂସ୍ଥା ଗରିବ ଲୋକମାନଙ୍କୁ ଲୁଟିଛି । ଠକ ରାଜନେତାଙ୍କ ଭିତରେ ବିଜେପିର କିଛି ନେତା ଥିବାରୁ ସିବିଆଇ ତଦନ୍ତ ବାଧା ପ୍ରାପ୍ତ ହୋଇଛି । ସୁପ୍ରିମକୋର୍ଟଙ୍କ ଇଜଲାସରେ ସିବିଆଇ ଠକ ରାଜନେତାଙ୍କ ଗୁମର ଖୋଲୁନି; ପରିଣାମ ସ୍ୱରୂପ ଅପମାନିତ ହୋଇ ଫେରିଛି ।

ଜଷ୍ଟିସ୍‌ ଏମ୍‌ଆର ଶାହ ଓ ଜଷ୍ଟିସ୍‌ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇର ଅପାରଗ ପଣିଆକୁ ଦାୟୀ କରିଛନ୍ତି । ଗରିବ ଜମାକାରୀଙ୍କ ଆଖିର ଲୁହକୁ ପୋଛିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ସିବିଆଇ ପାଖରେ ସତ୍‌ସାହସ ନାହିଁ । ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲା ସିବିଆଇ ହାତକୁ ଯିବା ପରଠାରୁ କେଉଁ ଜମାକାରୀ କେତେ ଟଙ୍କା ପାଇଛନ୍ତି, ତା’ର ଏକ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ସିବିଆଇକୁ ନିର୍ଦ୍ଦେଶ ଦେଇଛି । ମାମଲାର ପରବର୍ତୀ ଶୁଣାଣି ସୋମବାର ଦିନ କରାଯିବ । ଏହି ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଖଣ୍ଡପୀଠ ସିବିଆଇକୁ ତାଗିଦ୍‌ କରିଛନ୍ତି । କେତୋଟି ଆର୍ଥିକ ଦୁର୍ନୀତି ମାମଲାର ଚୁଡ଼ାନ୍ତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ତା’ର ଏକ ରିପୋର୍ଟ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ ।

ସାମାଜିକ କର୍ମୀ ପିନାକ ପାଣି ମହାନ୍ତି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ଜଣାଇଥିଲେ ଯେ ଓଡ଼ିଶାର ୨୦ ଲକ୍ଷ ଲୋକ ଚିଟ୍‌ଫଣ୍ଡ ସଂସ୍ଥାଗୁଡିକର ମାୟାଜାଲରେ ଫସି ପ୍ରାୟ ୫୦ ହଜାର କୋଟି ଟଙ୍କା ହରାଇଛନ୍ତି । ୨୦୧୪ ମସିହାରୁ ୪୦ଟି ଠକ ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦିଆଯାଇଥିଲା । ୯ ବର୍ଷ ବିତିବା ପରେ ମଧ୍ୟ ସିବିଆଇ ପକ୍ଷରୁ କୌଣସି ଗୋଟିଏ ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ ରିପୋର୍ଟ ଦାଖଲ କରା ନଯିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଥିଲେ । ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଦୁର୍ନୀତି ରାକ୍ଷସର ଦୁଇଟି ବାହୁ ଭଳି ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ଏମ୍‌ ଦାସ କମିଶନ ବସାଇ ୨୦ ଲକ୍ଷ ଜମାକାରୀଙ୍କୁ ଟଙ୍କାଟିଏ ଜମାରାଶି ଫେରାଇବା ବାଟ ବନ୍ଦ କରି ଦେଇଛନ୍ତି।