ମଣ୍ଡିରେ ଧାନ କାଟ୍ ଛାଟ୍ କୁ ନେଇ ଚାଷୀ ଅସନ୍ତୋଷ ବଢୁଛି

ଜଗତସିଂହପୁର – ତରଜଙ୍ଗା- ସୋସାଇଟି ସମ୍ପାଦକ ଏବଂ ମିଲର ର ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ନିରୀହ ଚାଷୀ । ସୂଚନା ମୁତାବକ ଚଳିତ ବର୍ଷ ବାତ୍ୟା ଜୱାଦ ପ୍ରଭାବରେ ଧାନ ଚାଷ ଏକ ପ୍ରକାର ବିପର୍ଯ୍ୟସ୍ତ, ଚାଷୀକୁଳ ବହୁ କଷ୍ଟରେ ନିଜ ନିଜର ଧାନ ଅମଳ କରିଥିଲେ ମଧ୍ୟ ତାଙ୍କ ପରିଶ୍ରମ ଏବଂ ଅର୍ଥ ସମ୍ପୂର୍ଣ ନହେଲେ ବି ଅଧିକାଂଶ ବ୍ୟର୍ଥ ଯାଇଥିବାର ଦେଖିବାକୁ ମିଳିଛି । ଏପରି ସ୍ଥଳେ ମଣ୍ଡି କୁ ଧାନ ଆଣିଥିବା ଚାଷୀଙ୍କୁ ମିଲର ଏକ ପ୍ରକାର ଶୋଷଣ କରୁଥିବା ଦେଖିବାକୁ ମିଳିଛି ।

ଭଲ ଧାନକୁ ନିମ୍ନମାନର କହି କୁଇଣ୍ଟାଲ ପିଛା ଦୁଇ କିଲୋ ରୁ ୧୦ କିଲୋ ପର୍ଯ୍ୟନ୍ତ କାଟୁଥିବା ବେଳେ ଆଂଶିକ କଳା ପଡ଼ିଥିବା ଧାନକୁ ସମ୍ପୂର୍ଣ ନଷ୍ଟ ହୋଇଥିବା ଦର୍ଶାଇ ମଣ୍ଡିରୁ ଫେରାଇ ଦେଉଛନ୍ତି । ସୋସାଇଟି ରୁ ଋଣ ନେଇ ଧାନ ଚାଷ କରୁଥିବା ଚାଷୀଟିଏ ଋଣ ଶୁଝିବ କେମିତି ବୋଲି ଏବେ ଚିନ୍ତାରେ । ବିଶେଷ କରି ତରଜଙ୍ଗା ସେବା ସମବାୟ ସମିତିରେ ସଂପାଦକଙ୍କ ମନମାନିକୁ ସ୍ଥାନୀୟ ଚାଷୀ ଗତ ଗୁରୁବାର ଦିନ ବିରୋଧ କରିଥିବା ଦେଖିବାକୁ ମିଳିଛି ।

ମିଲ୍ ମାଲିକର ଧାନ ବୋଝେଇ ଗାଡିକୁ ଚାଷୀମାନେ ଛାଡି ନଥିଲେ । ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ସେଠାରେ ପହଞ୍ଚି ବୁଝାସୁଯା କରିଥିଲେ । ବିଭାଗୀୟ ଅଧିକାରୀ ଚାଲିଯିବା ପରେ ସଂପାଦକ କେତେକ ଚାଷୀଙ୍କ ଧାନକୁ ସଂଗ୍ରହ କରି ବିନା ରସିଦ ରେ ଏକ ପରିତ୍ୟକ୍ତ ଘରେ ପକାଇ ରଖିଥିବା ଜଣାପଡିଛି । ଖବର ସଂଗ୍ରହ ପର୍ଯ୍ୟନ୍ତ ସଂଗୃହୀତ ଧାନ କୁ ମିଲର ଉଠାଇ ନଥିବା ଚାଷୀ ପ୍ରକାଶ କରିଛନ୍ତି।