ରାଜଧାନୀରେ ଗୋଠଛଡା ହାତୀର ଉତ୍ପାତ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ହାତୀମାନଙ୍କ ଉପଦ୍ରବ ବଢିବାର ଲାଗିଛି । ପୂର୍ବରୁ ବିଭିନ୍ନ ଗାଁମାନଙ୍କରେ ହାତୀ ଉତ୍ପାତ କରୁଥିବା ବେଳେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏକ ଦନ୍ତା ହାତୀକୁ ଦେଖିବାକୁ ମିଳିଛି । ତେବେ ଏହି ହାତୀ ଦିନରେ ପିପିଲିରେ ଉତ୍ପାତ କରୁଥିବା ବେଳେ ରାତିରେ ରାତିରେ ରରାଜଧାନୀ ଭୁବନେଶ୍ୱରରେ ବୁଲୁଥିବାର ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଦନ୍ତା ହାତୀଟି ପ୍ରଥମେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ଏହାପରେ ସୁନ୍ଦରପଦା,ପୋଖରୀପୁଟ ଦେଇ ଆଇଗିଣିଆ ଆଡକୁ ଚାଲିଯାଇଥିଲା । ତେବେ ହାତୀଟି ସହର ମଧ୍ୟରେ ପଶିଥିବାରୁ ତାକୁ ଘଉଡାଇବା ପାଇଁ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି । ଏଥିସହିତ ଏହି ଦନ୍ତା ପାଇଁ ପ୍ରାୟ ୬୦ ବନ କର୍ମଚାରୀ ନିୟୋଜିତ ଥିବା ଜଣାପଡିଛି । ତେବେ ହାତୀଟି କାହାର କିଛି କ୍ଷତି କରି ନଥିବାବେଳେ ଏହାକୁ ଦେଖି ରାଜଧାନୀବାସୀ ଆତଙ୍କିତ ଅବସ୍ଥାରେ ଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।