ବଡବିଲ କଲ୍ୟାଣୀ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ବଡବିଲ: ବଡବିଲ ଥାନା ଅନ୍ତର୍ଗତ ସାଧୁ ସିଂ ହାଟିଙ୍ଗ ରେ ଥିବା କଲ୍ୟାଣୀ ଆପାର୍ଟମେଣ୍ଟର ବେସମେଣ୍ଟରେ ଥିବା ଡିଜିରେ ନିଆଁ ଲାଗି ଡିଜି ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାଯାଇଛି ।

ସୂଚନାନୁସାରେ କଲ୍ୟାଣି ଆପାର୍ଟମେଣ୍ଟର ବେସମେଣ୍ଟରେ ବିଭିନ୍ନ କମ୍ପାନୀର ଟାୱାର ପାଇଁ ୩ଟି ଡିଜି ଲାଗିଥିବାବେଳେ ସେଥିମଧ୍ୟରେୁ ଜିଓ ମୋବାଇଲ କମ୍ପାନୀର ଟାୱାର ପାଇଁ ମଧ୍ୟ ଏକ ଡିଜି ଅଛି । ଗତ ପୂର୍ବାହ୍ନ ୧୧ଟା ପାଖା ପାଖି ସମୟରେ କୌଣସି କାରଣବସତଃ ଜିଓ କମ୍ପାନୀର ଟାୱାର ପାଇଁ ଥିବା ଡିଜିରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ୧୫ଟି ପରିବାର ଭୟଭିତ ହୋଇ ଆପାର୍ଟମେଣ୍ଟ ଛାଡି ବାହାରକୁ ବାହାରି ଆସିଥିଲେ । ଏ ବିଷୟରେ ବଡବିଲ ଦମକଳ ବାହିନୀକୁ ଖବର ଦେବାପରେ ୫ ମିନିଟ ମଧ୍ୟରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଏକ ବଡଧରଣର ଅଗ୍ନିକାଣ୍ଡକୁ ଏଡାଇ ଦେଇଥିଲେ କହିଲେ ଅତୁ୍ୟକ୍ତି ହେବନାହିଁ ।

ପ୍ରକାଶ ଥାଉକି ନିଆଁ ଲାଗିଥିବା ଡିଜି ନିକଟରେ ଏକ ଡ୍ରମରେ ୩୦୦ ଲିଟର ଡିଜେଲ ଥିବାବେଳେ ଡିଜି କୁ ଲାଗି ଏକ ସ୍କର୍ପିଓ ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ଯଦି ଉପଯୁକ୍ତ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିନଥାନ୍ତେ, ତେବେ ଏହା ଏକ ବଡ ଧରଣର ରୂପ ନେଇ ଧନ ଜୀବନ ନଷ୍ଟ କରିବାର ସମ୍ଭାବନା ଥିଲା ।

ତେବେ ଏହି ଆପାର୍ଟମେଣ୍ଟର ବେସମେଣ୍ଟରେ ୩ଟି ଡିଜି ରହିଥିବାବେଳେ ଏହାର ରକ୍ଷଣା ବେକ୍ଷଣ ପାଇଁ କେହି ଜଣେ ହେଲେ କର୍ମଚାରୀ ନଥିବା ଆଶ୍ଚର୍ଯ୍ୟର ବିଷୟ ।

ଏତଦ୍ ବ୍ୟତୀତ ବର୍ଷ ବର୍ଷ ଧରି ଡିଜିର ମରାମତି ହେଉନଥିବାରୁ ଡିଜିରୁ ବିଷାକ୍ତ କଳା ଧୂଆଁ ବାହାରି ପରିବେଷକୁ ଦୂଷିତ କରୁଥିବା ଆପାର୍ଟମେଣ୍ଟରେ ରହୁଥିବା ପରିବାର ଲୋକ ଅଭିଯୋଗ କରିବା ସହିତ ଡିଜି ଗୁଡାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଛନ୍ତି ।