କଟକଣାକୁ କେହି ମାନିଲେନି: କମ୍ପିଲା ରାଜଧାନୀ

ଭୁବନେଶ୍ୱର: ଦୀପାବଳିରେ ବାଣ ଫୁଟାଇଲେ ଜେଲ ଯାତନା ଓ ଜରିମାନା ଗଣିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ । ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ସମେତ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ବାଣଫୁଟା ପ୍ରତି କଡ଼ା ନିୟମ ଲାଗୁକଲେ । ହେଲେ ସବୁ କଟକଣା ଅକାମୀ ହୋଇଗଲା ଯେତେବେଳେ ଗୋଟିଏ ବିଲୁଆ ଭୋକିବା ଆରମ୍ଭ କଲା । ଜେଲ ଓ ଜରିମାନା ଭୟରେ ଖାଲି ମହମବତୀ ଜାଳୁଥିବା କୁଜି ବିଲୁଆମାନେ ଆଉ କି ସମ୍ଭାଳେ ପଡ଼ନ୍ତି । ଆରମ୍ଭ କରିଦେଲେ ବାଣଫୁଟା । ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଅଧିକାଂଶ ରାୟକୁ ମାନୁ ନଥିବା ଜାଣିବା ପରେ ସମାଜର ପ୍ରଭାବଶାଳୀ ଲୋକମାନେ ଆଇନ କାନୁନକୁ ମାନୁନାହାନ୍ତି । ରାଜଧାନୀରେ ଆଇଏଏସ, ଆଇପିଏସ ଓ ପ୍ରଭାବଶାଳୀ ଲୋକଙ୍କ ପରିବାର ବାଣଫୁଟା ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କଲେ, ସନ୍ଧ୍ୟା ୭ଟାରୁ ଅଳ୍ପ ଶବ୍ଦ ଓ ଆଲୋକ ବିକିରଣ କରୁଥିବା ବାଣ ଫୁଟାଇଲେ, ରାତି ୧୦ଟା ଟପିବା କ୍ଷଣି କାନଫଟା ଶବ୍ଦ କରୁଥିବା ବାଣ ଫୁଟାଇବା ଆରମ୍ଭ କରିଦେଲେ । ରାଜଧାନୀ କମ୍ପିଲା ।

ହାତଗଣତି ଲାଇସେନ୍ସ ମଞ୍ଜୁର କରାଯାଇଥିଲା । ମାତ୍ର ଗଳିକନ୍ଦିରେ ଦୋକାନ ଦେଖିବାକୁ ମିଳିଥିଲା । ନିୟମିତ ଦୋକାନ ନିକଟରେ ଟେବୁଲଟିଏ ପକାଇ ତା’ ଉପରେ ମହମବତୀ, ରଙ୍ଗୀନ ଆଲୋକମାଳା ରଖାଯାଇଥିଲା । ମାତ୍ର ଦୋକାନ ଭିତରେ ନାନା ରକମର ବାଣ ସଜାଇ ରଖାଯାଇଥିଲା । ରାଜଧାନୀ ଆକାଶରେ ବାଣରୋଷଣୀ ଦେଖିବାକୁ ମିଳି ନଥିଲା । ମାତ୍ର ନର୍ସିଂହୋମ, ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ନିକଟରେ ବାଣଫୁଟା ଯାଉଥିବାର ଦେଖିବାକୁ ମିଳିଥିଲା । ମଦୁଆଙ୍କୁ ଧରିବା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମାତ୍ର ମଦୁଆଙ୍କ ଉତ୍ପାତ କମି ନଥିଲା ।

ଦୀପାବଳି ପରଦିନ ଅର୍ଥାତ୍‌ ସୋମବାର ଅପରାହ୍ଣ ୪ଟାରୁ କାନରେ ବାଣଫୁଟା ଶବ୍ଦ ପଡ଼ିଲାଣି । ପୁଲିସ କୋଉଠୁ କାହାକୁ ଗିରଫଦାରି କରିବ । ପ୍ରଥମେ ବିଜେଡିର ପ୍ରତିଭାଶାଳୀ ବିଧାୟକ, ସାଂସଦଙ୍କ ଘରୁ ବେଆଇନ ବାଣ ଫୁଟାଇବା ଗିରଫଦାରୀ ଆରମ୍ଭ କରୁ । ବିଜେପି ଓ କଂଗ୍ରେସର ପ୍ରତିଭାଶାଳୀ ଲୋକଙ୍କ ପରିବାରକୁ ଗିରଫ କରିବା ପରେ ଆଇପିଏସ ଅଧିକାରୀଙ୍କ ପିଲାମାନଙ୍କୁ ଗିରଫ କରିବ । ମୋଟ ଉପରେ କହିଲେ, ସୁପ୍ରିମକୋର୍ଟଙ୍କ ବାଣଫୁଟା ନିର୍ଦ୍ଦେଶ କେବଳ ଆଦେଶ ଭିତରେ ରହିଗଲା ।