160×600
160×600

ବିଜେଡି କର୍ମୀଙ୍କ ଗୋଡ଼ରେ ଲାଗିବ ଜିପିଏସ୍‌ ଟ୍ରାକର!

ଭୁବନେଶ୍ୱର: ଅପରାଧୀଙ୍କ ଗୋଡ଼ରେ ଜିପିଏସ୍‌ ଲଗାଇବା ଭଳି ପ୍ରସ୍ତାବ କେନ୍ଦ୍ରକୁ ଦେଇଥିଲା ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡର ତାକତ୍‌ ଦେଖି ସାରା ଦେଶ ଚମକି ଯାଇଥିଲା । କେନ୍ଦ୍ର ସରକାର ଉକ୍ତ ପ୍ରସ୍ତାବକୁ ପ୍ରଥମେ ଜମ୍ମୁ-କଶ୍ମୀରରେ ଲାଗୁ କଲେ । ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ଜେଲ ପ୍ରଶାସନ ଜଣେ ଆତଙ୍କୀ ଗୋଡ଼ରେ ଜିପିଏସ୍‌ ଲଗାଇଛି ।

ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଦ୍ରୋହୀ ନେତାମାନେ ଭାରି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଦେଖାଦେଲାଣି । ଏତିକିବେଳୁ ତିନିଦଳର ଉଚ୍ଚସ୍ତରର ନେତାମାନେ ଯୋଉ ଭଳିଆ ନାରାବାଜି, କାଦୁଅ ଫିଙ୍ଗା ଆରମ୍ଭ କଲେଣି । ତାହା ଆଗକୁ ଭୀଷଣ ଆକାର ନେବା ସୁନିଶ୍ଚିତ । ତେଣୁ ତିନିଦଳର ବଡ଼ନେତାଙ୍କଠାରୁ ଆରମ୍ଭ କରି ତଳିଆ କର୍ମୀଙ୍କ ଗୋଡ଼ରେ ଜିପିଏସ୍‌ ଟ୍ରାକର ଲଗାଇ ଦିଆଗଲେ ।

କୋଉ ଦଳର କୋଉ ନେତା କୋଉଠି କୋଉ ଅବସ୍ଥାରେ ରହିଛନ୍ତି । କୋଉ କର୍ମୀ କୋଉ ପରିସ୍ଥିତିରେ ପଡ଼ି ହାତ ଉଠାଇଲା । କୋଉ କର୍ମୀ କାହାଠାରୁ ଆଗ ଗୁଳିଚୋଟ ଖାଇଲା । ଖଣ୍ଡାଚୋଟ ଖାଇଲା, ବୋମାମାଡ଼ କଲା । ସେସବୁର ଲମ୍ବାଚିଠା ତିଆରି କରି ନିର୍ବାଚନ କମିଶନକୁ ପଠାଇବ ପୁଲିସ । ନିର୍ବାଚନ ସମୟରେ ଲୋକସେବକ ଓ ସରକାରୀ କର୍ମଚାରୀଙ୍କ ଦାଦାଗିରି ସବୁଠାରୁ ଅଧିକ । ମୋଟ ଉପରେ କହିଲେ, ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଦଳୀୟ କନ୍ଦଳ ଓ ଗୋଷ୍ଠୀ ସଂଘର୍ଷକୁ ନିୟନ୍ତ୍ରଣ କରିବାକୁ ହେଲେ ଜିପିଏସ୍‌ ଟ୍ରାକର ବହୁ ପରିମାଣରେ ଫଳପ୍ରଦ ହେବ । ସବୁଠାରୁ ବେଶି ଫାଇଦା ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।